ଛାତ୍ରୀନିବାସରେ ପାଣି, ବିଦ୍ୟୁତ୍‌ ସେବା ଠପ୍‌: ଧାରଣାକୁ ଓହ୍ଲାଇଲେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୨୮।୮-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉପାସନା ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀ ପାଣି, ବିଦ୍ୟୁତ୍‌ ସମସ୍ୟାରେ ଧନ୍ଦି ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ଦିଗରେ କଲେଜ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉନାହାନ୍ତି। ମଙ୍ଗଳବାର ସମସ୍ୟା ସୀମା ଟପିବା ପରେ ଆନ୍ଦୋଳନକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିଛନ୍ତି ଛାତ୍ରୀ। ଏହାକୁ ନେଇ କଲେଜ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ନାମଲେଖା ସମୟରେ ହଷ୍ଟେଲ ଫି’ ବାବଦକୁ ଜଣକ ପିଛା ୯୫୦୦ ଟଙ୍କା ଦାଖଲ କରାଯାଇଛି। ମାସିକ ରୁମ୍‌ ବାବଦକୁ ୫୫୦ ଟଙ୍କା ନିଆଯାଉଛି। ଏହାସତ୍ତ୍ୱେ ହଷ୍ଟେଲ ସମସ୍ୟାର ସମାଧାନ କରାଯାଉନାହିଁ। ଦୀର୍ଘଦିନ ହେଲା ପ୍ରକୋଷ୍ଠଗୁଡ଼ିକ ମରାମତି ହୋଇନାହିଁ। ପାଣି ସମସ୍ୟାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ବିଦ୍ୟୁତ୍‌ ସେବା ଠପ୍‌ ହୋଇପଡ଼ିଛି। ଠିକ୍‌ ଭାବେ ବଲ୍‌ବ ଜଳୁନାହିଁ। ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି। ଅପରିଷ୍କାର ପରିବେଶରେ ବିଷଧର ସରୀସୃପ ବିଚରଣ କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ କଲେଜ ଏବଂ ହଷ୍ଟେଲ କର୍ତ୍ତୃପକ୍ଷ ଏସବୁର ସମାଧାନ କରୁ ନ ଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ସେମାନେ କହିଛନ୍ତି।
ଛାତ୍ରୀମାନେ ସକାଳ ୭ଟାରୁ ଅଧ୍ୟକ୍ଷାଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିରହିଥିଲେ।

Share