Categories: ଗଞ୍ଜାମ

ଛାତ୍ରୀ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୬ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୨ ଜଗଦୀଶ ପ୍ରସାଦ ମହାନ୍ତି ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତ ନରସିଂହ ଦାସଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜରିମାନା ବାବଦକୁ ୧୦ ହଜାର ଟଙ୍କା କୋର୍ଟରେ ପୈଠ କରିବେ। ଏହା ନ କଲେ ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ ବୋଲି ମଧ୍ୟ ରାୟରେ ନିର୍ଦ୍ଦେଶ ରହିଛି। ଏହାସହିତ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ସରକାରୀ ସହାୟତା ଦେବା ପାଇଁ କୋର୍ଟ ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ, ୨୦୧୬ ଜୁନ ୨୭ରେ ୭ମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ବିବାହିତ ଯୁବକ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ବାପା ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୯୩/୧୬ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନରସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ଉକ୍ତ ଥାନାର ତତ୍କାଳୀନ ଏସ୍‌ଆଇ ଲକ୍ଷ୍ମଣ ସେଠୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଘଟଣା ପରଠାରୁ ନରସିଂହ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ବଳାତ୍କାର ମାମଲାର ଶୁଣାଣି ବେଳେ ୧୭ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଏଡିଜେ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।