ଛାତ୍ର ସଂସଦ ନିର୍ବାଚନ ବାତିଲ: କଲେଜ, ବିଶ୍ୱବିଦ୍ୟାଳୟକୁ ଜଣାଇଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୨୨।୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି, ସମସ୍ତ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଛାତ୍ରୀଛାତ୍ରଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନିର୍ବାଚନକୁ ବାତିଲ କରାଯିବା ସହ ଯେଉଁ ବିଶ୍ୱ ବିଦ୍ୟାଳୟ ଏବଂ କଲେଜରେ ଛାତ୍ର ପ୍ରତିନିଧିଙ୍କର ଆବଶ୍ୟକ ଥିବ ସେଠାରେ ପ୍ରତିନିଧିଙ୍କୁ ମନୋନୀତ କରିବାକୁ ଚିଠରେ ଉଲ୍ଲେଖ କରାଯାଇଛି।
ଛାତ୍ର ସଂସଦ ନିର୍ବାଚନ ଯୋଗୁ ଅନେକ ସମୟରେ ଶୈଖିକ ବାତାବରଣ ବିଗିଡି ଯାଉଛି। ଛାତ୍ରୀଛାତ୍ରମାନଙ୍କର ପାଠପଢା ବ୍ୟାହତ ହେଉଛି। ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ରାଜନୈତିକ ଦଳର ନେତାମାନେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରିବାକୁ ପଛାଉ ନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରାଯାଇଥିବା କୁହାଯାଉଛି।