ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଛକାପଞ୍ଝା: ଛାତ୍ରଙ୍କୁ ନିର୍ଯାତନା, କଲେଜ ଯିବାକୁ ବାରଣ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ବେଳେ ଏ ନେଇ ବିଭିନ୍ନ କଲେଜରେ ଚକାପଞ୍ଝା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ କେନ୍ଦ୍ରକରି ୩ ମାସ ହେବ ଜଣେ ଛାତ୍ରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଉଛି। ଏ ନେଇ ବଡଗଡ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି କଲେଜ ଯିବାକୁ ଛାତ୍ରଙ୍କୁ ବାରଣ କରାଯିବା ସହ ଯିବା ପରେ କିଛିଦିନ ତଳେ ଆକ୍ରମଣ କରାଯାଇଥିଲା। ସେ ସୁରକ୍ଷିତ ଭାବେ କଲେଜ ଯିବାକୁ ଚାହୁଁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି। ଏ ନେଇ ସମ୍ପୃକ୍ତ ଛାତ୍ରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
ସୂଚନା ମୁତାବକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟରେ (ବିଜେବି କଲେଜ) ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳା ବିଭାଗ ଛାତ୍ର ଆଦିତ୍ୟ କୁମାର। ଆଦିତ୍ୟଙ୍କ ଅଭିଯୋଗ ମୁତାବକ, ଗତବର୍ଷ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ରହି ସେ କଲେଜ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମାତ୍ର ଚଳିତବର୍ଷ ରାଜନୈତିକ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଉକ୍ତ ଛାତ୍ର ଗୋଷ୍ଠୀ ଦୁଇଭାଗ ହୋଇଯାଇଛି। ଫଳରେ ନିର୍ବାଚନ ପୂର୍ବରୁ ଉକ୍ତ ଦୁଇ ଗୋଷ୍ଠୀ ଛାତ୍ରମାନଙ୍କ ଭିତରେ ଛକାପଞ୍ଝା ଏବେ ଆରମ୍ଭ ହୋଇଛି। ୩ ମାସ ହେବ ଆଦିତ୍ୟ ଅପରପକ୍ଷର ଛାତ୍ରଗୋଷ୍ଠୀଙ୍କୁ ସମର୍ଥନ କରିବା, ତାଙ୍କ ସହ ଥିବା ଛାତ୍ରଗୋଷ୍ଠୀଙ୍କ ସହ ବୁଲାବୁଲି ନ କରିବାକୁ ଫୋନରେ ଧମକ ଦିଆଯାଉଛି। ଏପରିକି କଲେଜ ଖୋଲିବା ପରେ ନ ଆସିବାକୁ ଧମକ ଦିଆଯାଇଥିଲା। ବୁଧବାର ସେମାନଙ୍କ କଥା ନ ମାନି କଲେଜ ସାରି ଏକୁଟିଆ ଫେରିବା ବେଳେ କଲେଜ ପଡିଆ ନିକଟରେ ତାଙ୍କୁ କେତେଜଣ ଯୁବକ ଆକ୍ରମଣ କରିଥିଲେ। ସେ ଭୟଭୀତ ହେବା ସହ ସୋମବାର ବଡଗଡ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଥାନାରେ ଅଭିଯୋଗ କରିବା ନେଇ ଆଦିତ୍ୟଙ୍କୁ ଅପରଗୋଷ୍ଠୀର କେତେଜଣ ଛାତ୍ର ଧମକ ଦେଇଥିବା ସେ ଗଣମାଧ୍ୟମକୁ କହିଥିଲେ। ଏ ନେଇ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଉଭୟପକ୍ଷର ଛାତ୍ରମାନଙ୍କୁ ଥାନାକୁ ଡକାଇ ତାଗିଦ୍‌ କରାଯିବା ସହ ଘଟଣାର ସମାଧାନ କରାଯାଇଛି। ମାତ୍ର ପରବର୍ତ୍ତୀ ସମୟରେ ଯେଉଁମାନେ ଆଇନକୁ ହାତକୁ ନେବା ପାଇଁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକରୀ କହିଛନ୍ତି।

Share