Advertisement

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଏବିଭିପିର ବିରୋଧ

ଫୁଲବାଣୀ ଅଫିସ, ୨୬ା୮-ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିବାରୁ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି । ସୋମବାର କନ୍ଧମାଳ ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି) ପକ୍ଷରୁ ନିର୍ବାଚନ ବନ୍ଦକୁ ବିରୋଧ କରାଯାଇଛି । ଫୁଲବାଣୀ ମାଦିକୁନ୍ଦା ଛକରେ ଏବିଭିପିର ଛାତ୍ରୀଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ । ଓଡିଶାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପଛରେ ବିଜେଡିର ଭୟ ସ୍ପଷ୍ଟ ବାରି ହୋଇପଡୁଛି । ସବୁଠି ବିଜୁ ଛାତ୍ର ଜନତା ମଧ୍ୟରେ ଦଳୀୟ କନ୍ଦଳ ରହିଛି । ଯଦି ନିର୍ବାଚନ ହେବ ତାହାଲେ ଏବିଭିପି ସବୁଠି ବିଜୟ ଲାଭ କରିବ। ତେଣୁ ଭୟରେ ନିର୍ବାଚନକୁ ବନ୍ଦ କରି ଦିଆଯାଇଛି ।ଛାତ୍ର ସଂସଦ କଲେଜ ସମସ୍ୟା ନେଇ ପ୍ରଶ୍ନ ଉଠାଇଥାଏ । ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। କୁହାଯାଇଛି ଇଲେକ୍‌ସନ ହେବ ନାହିଁ, ସିଲେକସନ ହେବ । ସିଲେକସନ କେଉଁ ଆଧାରରେ ହେବ ତାହା ଉପରେ କିଛି କୁହାଯାଇନାହିଁ । ଏହାର ଅର୍ଥ ସବୁ ପଦବୀ ସେମାନଙ୍କ ହାତକୁ ଯିବ। ଏହା ଗଣତନ୍ତ୍ରର ହତ୍ୟା ବୋଲି ଏବିଭିପି ଜିଲା ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ, ଜିଲା ସଂଯୋଜକ ବିକାଶ ନାୟକ, ସଭାପତି ଶୁଭାଷିଶ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି। ବିକ୍ଷୋଭ କାର୍ଯ୍ୟକ୍ରମରେ ଏବିଭିପିର ବହୁ ଛାତ୍ରୀଛାତ୍ର ସାମିଲ ହୋଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share