ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି। ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କମାପଲିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ବାଚନ ବେଳେ ଯଦି ହିଂସା ଦେଖାଦେଉଛି, ତେବେ ଉଚ୍ଚ ଶିକ୍ଷା ବିଭାଗ ଉପଯୁକ୍ତ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା କଥା। ଏହା ନ କରି ନିର୍ବାଚନ ବନ୍ଦ କରିଦେବା ନିନ୍ଦନୀୟ। ନିର୍ବାଚନ ବଦଳରେ ଚୟନ ଜରିଆରେ ଛାତ୍ର ସଂସଦ ଗଠନ ହେଲେ, ସେଥିରେ ଶାସକ ଦଳ ସମର୍ଥିତ ପ୍ରାର୍ଥୀମାନେ ହିଁ ସୁଯୋଗ ପାଇବେ। ଏହା ଗଣତନ୍ତ୍ରର ହତ୍ୟା। କ୍ୟାମ୍ପସର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ନିର୍ବାଚିତ ଛାତ୍ର ସଂସଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିର୍ବାଚନ ନ ହେଲେ କଲେଜ କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କ୍ୟାମ୍ପସ ଚଳାଇବେ। ଛାତ୍ରୀଛାତ୍ରଙ୍କ ମୂଳ ସମସ୍ୟା ଦୂର ହୋଇପାରିବନି। ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରା ନ ଗଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଗଠନର ଗଂଜାମ ଜିଲ୍ଲାର ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଭାଗ ନେଇଥିଲେ।

Share