ଛାତ ପଲସ୍ତରା ଖସି ଜଣେ ଗୁରୁତର, ୨ ଆହତ

ଗଞ୍ଜାମ,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମର ଲଳିତ ତରାଇଙ୍କ ଘର ଛାତରୁ ପଲସ୍ତରା ଖସି ଜଣେ ଶିଶୁ ଗୁରୁତର ହୋଇଥିବା ବେଳେ ୨ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଲଳିତଙ୍କ ତିନି ନାତୁଣୀ ତପସ୍ବିନୀ(୯), ଲିପ୍‌ସା (୫) ଏବଂ ଶ୍ରାବଣୀ। ସେମାନଙ୍କ ମଧ୍ୟରୁ ତପସ୍ବିନୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରଥମେ ସେମାନଙ୍କୁ ଖଣ୍ଡଦେଉଳୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତପସ୍ବିନୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ରବିବାର ବ୍ରହ୍ମପୁର ମେଡିକାଲ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ଘରେ ସମସ୍ତେ ଖାଉଥିବା ସମୟରେ ହଠାତ୍‌ ଛାତର ପଲସ୍ତରା ଖସି ପଡ଼ିଥିଲା। ଫଳରେ ତପସ୍ବିନୀଙ୍କ ମୁଣ୍ଡ ଉପରେ କଂକ୍ରିଟ୍‌ ପଡ଼ି ଗଭୀର କ୍ଷତି ସୃଷ୍ଟି ହୋଇଥିଲା। ଖବର ପାଇ ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡ୍ଡୀ ଉକ୍ତ ଗ୍ରାମରେ ପହଞ୍ଚି ଆହତ ଶିଶୁଙ୍କ ପରିବାରଙ୍କୁ ଭେଟିବା ସହ ଗଞ୍ଜାମ ତହସିଲଦାର ଓ ବିଡିଓଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ପାଇବା ପରେ ଉକ୍ତ ପରିବାରକୁ ଇନ୍ଦିରା ଆବାସ ଯୋଗାଇ ଦିଆଯିବ ବୋଲି ବିଡିଓ ଜ୍ୟୋତିଶଙ୍କର ରାଏ ସୂଚନା ଦେଇଛନ୍ତି।