ଛାନୁଆରେ ମଦ ବିକ୍ରିକୁ ବିରୋଧ: ଜିଲାପାଳଙ୍କୁ ଭେଟିଲେ ମହିଳା

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଛାନୁଆ ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଶାଦ୍ରବ୍ୟ କାରବାର ଚାଲିଛି। ଏହାକୁ ରୋକିବା ଲାଗି ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲାପାଳ ଚକ୍ରବର୍ତ୍ତୀ ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ସହ ଆଲୋଚନା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଛାନୁଆ ପଞ୍ଚାୟତର ଛାନୁଆଁ ନରାଡ଼ ସ୍କୁଲ, ହାଇସ୍କୁଲ ପାଚେରି ଏବଂ ମହାଦେବ ମନ୍ଦିର ନିକଟରେ ଦେଶୀ, ବିଦେଶୀ ମଦ ସହ ବ୍ରାଉନ୍‌ସୁଗାର ବିକ୍ରି ହେଉଛି। ଗାଁର ପୁରୁଷ ଲୋକମାନେ ନିଶାସେବନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ମଦ ବିକ୍ରିକୁ ବିରୋଧ କଲେ ମାଫିଆମାନେ ଉଠାଇ ନେବାର ଧମକ ଦେଉଛନ୍ତି ବୋଲି ସ୍ବୟଂ ସହାୟକ ସଂଘର ନେତ୍ରୀ ଶାନ୍ତିଲତା ଦାସ କହିଛନ୍ତି। ଉକ୍ତ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ସଂଘର ସଦସ୍ୟାମାନେ ଏକାଠି ହୋଇ ଜିଲାପାଳଙ୍କୁ ଭେଟି ବେଆଇନ ନିଶା କାରବାରକୁ ରୋକିବା ପାଇଁ ନିବେଦନ କରିଛନ୍ତି। ଏହା କରା ନ ଗଲେ ଆଗାମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ‘ଜନନୀ ପରିବାର’ର ମୁଖ୍ୟ ଜ୍ୟୋତ୍ସ୍ନା ମହାନ୍ତି ଚେତାବନୀ ଦେଇଛନ୍ତି। ଇନ୍ଦୁମତି ବେହେରା, କବିତା ଜେନା, କଲ୍ୟାଣୀ ଜେନା, ସନ୍ଧ୍ୟାରାଣୀ ଦାସ, ଅଞ୍ଜନା ବେହେରା, ପ୍ରମିଳା ସେଠୀ, ଗୀତାଞ୍ଜଳି ଦାସ, ମମତା ଜେନା, ପ୍ରଭାତି ଦଳେଇ, ଭାରତୀୟ ଭୂୟାଁ ପ୍ରମୁଖ ଶତାଧିକ ମହିଳା ଜିଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।