ଛାନୁଆ ଗାଁ ରାସ୍ତାରେ ଆଣ୍ଠୁଏ ପାଣି: ଦୁର୍ଦ୍ଦଶା ଭୋଗୁଛନ୍ତି ଶହେ ପରିବାର

ରୂପ୍‌ସା, ୨।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ୧୧ନଂ. ୱାର୍ଡ଼ ଛାନୁଆ ଗାଁ ରାସ୍ତାରେ ବର୍ଷା ଜଳ ଜମି ରହିବା ଯୋଗୁ ପରିସ୍ଥିତି ବେହାଲ ହୋଇପଡ଼ିଛି। ଏହି ଓ୍ବାର୍ଡ଼ର ଶହେ ପରିବାରର ୬ଶହରୁ ଊର୍ଦ୍ଧ୍ୱ ଲୋକ ପାଣି ଭିତରେ ପଶି ଯିବା ଆସିବା କରିବା ସହ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପଞ୍ଚାୟତର ସୁଜିତ କୁମାର ପଣ୍ଡା ନାମକ ସାମାଜିକ କର୍ମୀ ଶନିବାର ଘଟଣା ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲାପାଳ ସଙ୍ଗେ ସଙ୍ଗେ ଜିଲା ପ୍ରକଳ୍ପ ନିଦ୍ଦେର୍ର୍ଶକ ଓ ବିଡ଼ିଓଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ବର୍ଷା ଆରମ୍ଭରୁ ପ୍ରାୟ ୧୫ଦିନ ଧରି ଏହି ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ଏହାଛଡ଼ା ଗୃହପାଳିତ ପ୍ରାଣୀ ଗୋରୁଗାଈ, ଛେଳିକୁ ଗୁହାଳରେ ବାନ୍ଧି ରଖିବାକୁ ପଡୁଛି। ଗ୍ରାମବାସୀ ଚନ୍ଦ୍ରକାନ୍ତ ଜେନା ଓ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଘରେ ବର୍ଷା ଜଳ ପଶି ଯାଇଛି। ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ, ଦାମୋଦର ଦାସ, ଗୌରାଙ୍ଗ ଦଳେଇ, କରୁଣାକର ପାଣିଗ୍ରାହୀଙ୍କ ସମେତ ୱାର୍ଡ଼ବାସୀ ଦାବି କରିଛନ୍ତି। ଅଭିଯୋଗ ପରେ ବ୍ଲକ ପକ୍ଷରୁ ହୋମପାଇପ୍‌ର ବ୍ୟବସ୍ଥା ମୁତାବକ ଜଳ ନିଷ୍କାସନ ଦିଗରେ ପ୍ରଶାସନ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।