ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ ୧୦ ଗୁଣା ଜରିମାନା ଆଦାୟ କରାଗଲା। ଏନେଇ ବିଭିନ୍ନ ପ୍ରକାର ପ୍ରତିବାଦ ଓ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପର୍ଯ୍ୟନ୍ତ ଲୋକଙ୍କୁ ହଇରାଣ ନ କରିବାକୁ ପୋଲିସ ଓ ପରିବହନ ବିଭାଗ ଅଧିକାରୀଙ୍କୁ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସମୟ ମଧ୍ୟରେ ନୂଆ ମୋଟର ଯାନ ଆଇନ ଅନୁସାରେ ନିଜ ଗାଡ଼ି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଥିଲେ। ଏହାର ଦିନକ ପରେ ରାଜ୍ୟ ସରକାର ମଙ୍ଗଳବାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନୁଯାୟୀ ଛୁଟିଦିନଗୁଡ଼ିକରେ ମଧ୍ୟ ରାଜ୍ୟ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗାଡ଼ିର କାଗଜପତ୍ର ନିମନ୍ତେ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ହେଉଥିବା ଲୋକଙ୍କ ଭିଡ଼କୁ ଏଡ଼ାଇ ଦିଆଯାଇପାରିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ, ଫିଟନେସ ଏବଂ ପ୍ରଦୂଷଣ ସାର୍ଟିଫିକେଟ ଆଦି କାର୍ଯ୍ୟ ଛୁଟିଦିନରେ କରିହେବ। ସେଥିଲାଗି ସରକାରୀ ସ୍ତରରେ ଲୋକଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ। ଏହାସହ ବିଭିନ୍ନ କ୍ୟାମ୍ପ କରାଯାଇ ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ। ୩ ମାସ ମଧ୍ୟରେ ଜନସାଧାରଣ ନିଜ ଗାଡ଼ିର କାଗଜପତ୍ର ଠିକ୍‌ କରାଇ ନେବା ପାଇଁ ବେହେରା କହିଛନ୍ତି। ବିରୋଧୀ ଦଳ ନେତାମାନେ ମୋଟା ଅଙ୍କର ଜରିମାନା ପୈଠ କରିଥିବା ଲୋକଙ୍କୁ ସେମାନଙ୍କ ଟଙ୍କା ଫେରାଇବା ଲାଗି ଦାବି କରିଥିବା ବେଳେ ମନ୍ତ୍ରୀ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

Share