ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ: ଅଫିସରେ ତାଲା ଦେଖି ରାସ୍ତା ଅବରୋଧ କଲେ ଲୋକେ

କେନ୍ଦୁଝର,୨୩।୧(ସ୍ବ.ପ୍ର.): ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ ପାଇଁ ଡକାଯାଇ ଥିବାରୁ ଗୁରୁବାର ସ୍ଥାନୀୟ ଆର୍‌ଟିଓ ଅଫିସରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଟେଷ୍ଟ ପାଇଁ ଆସିଥିବା ଶତାଧିକ ଲୋକ ଆର୍‌ଟିଓ ଅଫିସରେ ତାଲା ପଡ଼ିଥିବା ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଅଫିସ ସମ୍ମୁଖରେ ସହରର ମୁଖ୍ୟ ରାସ୍ତାରେ ବସି ଅବରୋଧ କରିଥିଲେ। ଫଳରେ ସହରରେ ଯାତାୟାତ ଠପ୍‌ ହୋଇଯାଇଥିଲା।
ସୂଚନାଯୋଗ୍ୟ, ନେତାଜୀ ଜୟନ୍ତୀ ଉପଲକ୍ଷେ ଗୁରୁବାର ଛୁଟି ଥିବାରୁ ଆର୍‌ଟିଓ ଅଫିସ ବନ୍ଦ ରହିଛି। ତେବେ ଆଜି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ବହୁ ଲୋକଙ୍କୁ ଚିଠି କରାଯାଇଥିଲେ ହେଁ ଅଫିସ ବନ୍ଦ ଯୋଗୁ ନିରାଶ ହୋଇଥିଲେ। ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ ପାଇଁ କାହିଁକି ଡକା ଯାଇଥିଲା ତାହାକୁ ନେଇ ଆସିଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଆର୍‌ଟିଓ ନିର୍ମଳ ମହାନ୍ତି କହିଛନ୍ତି, ଚଳିତବର୍ଷ କ୍ୟାଲେଣ୍ଡରରେ ଏହି ଦିନର ଛୁଟି ପରେ ଘୋଷଣା ହୋଇଥିଲା। ଏଣୁ ପୂର୍ବରୁ ଡ୍ରାଇଭିଂ ଟେଷ୍ଟ ପାଇଁ ଗୁରୁବାର କେତେକଙ୍କୁ ତାରିଖ ନିର୍ଦ୍ଧାରଣ କରି ଚିଠି ଦିଆଯାଇଥିଲା। ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଆଜି କିଛି ଲୋକଙ୍କ ଟେଷ୍ଟ ପାଇଁ ପଦକ୍ଷେପ ନେଉଛୁ। ଅନ୍ୟମାନେ ଶୁକ୍ରବାର ଆସିପାରିବେ।