ଛୁଟିଦିନରେ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୮।୧୨ (ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ଶନିବାର ଏ ସମ୍ପର୍କରେ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ରବିବାର ତାଲିମରୁ ଫେରିଥିବା ବିଡିଓ ପ୍ରଣବ କୁମାର ବେହେରା ଅପରାହ୍ନରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅମିୟ ପାଣିଗ୍ରାହୀଙ୍କ ସହ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟରେ ପହଞ୍ଚି ଭଙ୍ଗା ଛାତ, ଝରକା, କବାଟ, ଖୁଣ୍ଟ ଓ ରୋଷେଇ ଘର କାନ୍ଥ ଭାଙ୍ଗି ଯାଇଥିବା ଦେଖି ବିଡିଓ ଅସନ୍ତୋଷ ପ୍ରକାଶ କରିଥିଲେ। ସେଠାରେ ଉପସ୍ଥିତ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ, ପରିଚାଳନା କମିଟି ସଭାପତି ରମାକାନ୍ତ ବିଶ୍ୱାଳ, ସାମାଜିକ କର୍ମୀ ସିଦ୍ଧାର୍ଥ ପଟ୍ଟନାୟକ ଓ ଗ୍ରାମବାସୀଙ୍କ ସହ ସେ ଆଲୋଚନା କରିଥିଲେ। ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ ପର୍ଯ୍ୟନ୍ତ ଗ୍ରାମର ସପ୍ତା ଘରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ। ଏଥିରେ ବିଡିଓ ବେହେରା ସହମତି ପ୍ରକାଶ କରିବା ସହ ବ୍ଲକ ଶିକ୍ଷାଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ। ଏହାଛଡ଼ା ଏହି ବିଦ୍ୟାଳୟକୁ ବିପଦପୂର୍ଣ୍ଣ ଘୋଷଣା କରିବା ସହ ସୋମବାରଠାରୁ ଛାତ୍ରୀଛାତ୍ରଙ୍କୁ ବିପଦସଙ୍କୁଳ ଶ୍ରେଣୀଗୃହରେ ନ ବସାଇବା ପାଇଁ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନରେ କୌଣସି ବ୍ୟତିକ୍ରମ ନ ହେବା ଲାଗି ସେ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ।