ଛୁଟି ଦିନରେ ଗାଡ଼ି ଯାଞ୍ଚ: ଟ୍ରକ୍‌ ଚଢ଼ିଯିବାରୁ ଆର୍‌ଟିଓ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର, ୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରୁଣା ସହର ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ୍‌ ଛୁଟି ଦିନରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଟ୍ରକ୍‌ ଧକ୍କାରେ ଜଣେ ଆର୍‌ଟିଓ କର୍ମଚାରୀ(ଚାଳକ)ଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ ମହାନ୍ତ(୪୦)।
ପ୍ରକାଶ ଯେ, ବିଜୟ ଜୁନିୟର ଏମ୍‌ଭିଆଇ କାହୁଁ ଚରଣ ବାନରାଙ୍କ ସହ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ବଡ଼ବିଲ୍‌ ପଟୁ ଆସୁଥିବା ଏକ ଟ୍ରକ୍‌କୁ ସେମାନେ ଅଟକାଇଥିଲେ। ମାତ୍ର ଟ୍ରକ୍‌ ନ ଅଟକି ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିବା ଜୁନିୟର ଏମ୍‌ଭିଆଇ ବାନରା କହିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଛୁଟି ଥିବାବେଳେ ଆର୍‌ଟିଓ ପକ୍ଷରୁ କିପରି ଗାଡ଼ି ଯାଞ୍ଚ ଚାଲିଥିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି।