ଛୁଟି ପାଇଁ ପୋଲିସ କରୁଛି ସତ୍ୟପାଠ

ସମସ୍ତିପୁର: ‘ମୁଁ ….. ଛଟ୍‌ ମା’ଙ୍କୁ ସାକ୍ଷୀ ରଖି ଶପଥ ନେଉଛି, ମୁଁ ଦୀର୍ଘ….ବର୍ଷ ହେଲା ଛଟ୍‌ ପୂଜା କରିଆସୁଛି। ଏହି ବର୍ଷ ମଧ୍ୟ ବ୍ରତ ରଖିଛି। ହେ ଛଟ୍‌ ମା’ ଯଦି ମୁଁ ମିଛ କହି ଛୁଟି ନେଉଥାଏ, ତା’ ହେଲେ ମୋ ପିଲାଛୁଆଙ୍କ ସହ ପୂରା ପରିବାର ଉପରେ ଘୋର ବିପତ୍ତି ପଡୁ’। ଏପରି ଏକ ସତ୍ୟପାଠ ପତ୍ରକୁ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ଛଟ୍‌ ପୂଜା ପାଇଁ ଛୁଟି ମାଗୁଥିବା ପୋଲିସ କର୍ମଚାରୀଙ୍କ ଲାଗି ଏପରି ଆଫିଡାଭିଟ୍‌ ଜାରି କରିଛି ବିହାର ପୋଲିସ। ଅର୍ଥାତ୍‌ ଛଟ୍‌ ମା’ଙ୍କ ନାମରେ ଶପଥପାଠରେ ଦସ୍ତଖତ କରୁଥିବା କର୍ମଚାରୀଙ୍କୁ ହିଁ ମିଳୁଛି ଛୁଟି। ଏପରି ଏକ କୌତୂହଳପୂର୍ଣ୍ଣ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା।
ବିହାରର ଗଣପର୍ବ କାର୍ତ୍ତିକ ଛଟ୍‌ ପୂଜା ଗୁରୁବାରଠାରୁ ଆରମ୍ଭ ହେଉଛି। ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି ମାଳ ମାଳ ଛୁଟି ଦରଖାସ୍ତ। ଏପରି ସ୍ଥିତିରେ କେବଳ ଛଟ୍‌ ବ୍ରତଧାରୀ କର୍ମଚାରୀଙ୍କୁ ଛୁଟି ଦେବାକୁ ବିଭାଗୀୟ ଅଧିକାରୀ ଚିନ୍ତା କରୁଛନ୍ତି। ଏଥିପାଇଁ ଶପଥପାଠ ଭଳି ଅଭିନବ ଉପାୟ ବାହାର କରାଯାଇଛି। ଛୁଟି ଆବେଦନ କରୁଥିବା କର୍ମଚାରୀମାନେ ଛଟ୍‌ ମା’ଙ୍କ ନାମରେ ପ୍ରମାଣ କରି ଛୁଟି ନେଉଛନ୍ତି। କେବଳ ଏତିକି ନୁହେଁ, ସେମାନେ କେତେବର୍ଷ ହେଲା ଛଟ୍‌ ପର୍ବ ପାଳନ କରୁଛନ୍ତି ସେ ସମ୍ପର୍କିତ ତଥ୍ୟ ଲିଖିତ ଭାବେ ଦର୍ଶାଇବାକୁ ନିୟମ କରାଯାଇଛି।
କେତେଜଣ ପୋଲିସ କର୍ମଚାରୀ ବ୍ରତ ବାହାନାରେ ବ୍ୟକ୍ତିଗତ ଛୁଟିରେ ଯାଉଛନ୍ତି। ସେମାନଙ୍କ ଉପରେ କଟକଣା ଜାରି କରିବାକୁ ବିଭାଗ ପକ୍ଷରୁ ଏପରି ଅଭିନବ ଉପାୟ ବାହାର କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଛୁଟି ଆବେଦନ କରିଥିବା ଜଣେ କର୍ମଚାରୀ କହିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ସେ ଛଟ୍‌ ବ୍ରତ କରି ଆସୁଛନ୍ତି। ଏଥିପୂର୍ବରୁ କେବେ ଏପରି ବ୍ୟବସ୍ଥା ହୋଇ ନ ଥିଲା କି ଶପଥପାଠ କରିବାକୁ ପଡୁ ନ ଥିଲା। ମା’ଙ୍କ ନାମରେ ମିଛ କହିବା ମହାପାପ। ସେ ସତ କହୁଥିବାରୁ ସତ୍ୟପାଠରେ ଦସ୍ତଖତ କରିଛନ୍ତି।

Share