ଛୁରି ଭୁସିି ଯୁବକଙ୍କୁ ହତ୍ୟା

କଟକ ଅଫିସ,୧୯ା୯: ଲାଲବାଗ ଥାନା ଅନ୍ତର୍ଗତ ଚୁନଭାଟି ଗଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ ବାରିକ(୩୦) ଓରଫ ଗୁଡୁ। ସେହି ଅଞ୍ଚଳର ସଞ୍ଜୀବ ନାମକ ଯୁବକ କାର୍ତ୍ତିକଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି କି କାର୍ତ୍ତିକଙ୍କ ମାଆ ଶଶି ବାରିକ ହତ୍ୟା ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ, କାର୍ତ୍ତିକ ଓ ସଞ୍ଜୀବ ଉଭୟ ବାଲ୍ୟବନ୍ଧୁ। ହେଲେ ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ବୁଧବାର ସନ୍ଧ୍ୟାରେ ଉଭୟ ଏକାଠି ବୁଲୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରାତି ପ୍ରାୟ ୮ଟାରେ କାର୍ତ୍ତିକ ଘର ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ସେଠାରେ ସଞ୍ଜୀବ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଟି ଶୁଣି ଶଶି ବାହାରକୁ ଆସି କଳି ନ କରିବାକୁ ଉଭୟଙ୍କୁ କହିଥିଲେ। ପରେ ପରିବାରର ଅନ୍ୟ ଲୋକଙ୍କୁ ଡାକିବାକୁ ଶଶି ଘର ଭିତରକୁ ଚାଲି ଯାଇଥିଲେ। ଫେରିବା ବେଳକୁ ପୁଅ କାର୍ତ୍ତିକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶଶିଙ୍କୁ ଦେଖି ସଞ୍ଜୀବ ସେଠାରୁ ଫେରାର ହୋଇଯାଇଥିଲେ। ସଞ୍ଜୀବ ଛୁରି ଭୁସି ଦେଇଛି ବୋଲି କାର୍ତ୍ତିକ ନିଜ ମାଆଙ୍କୁ କହିଥିଲେ। ପରିବାର ଲୋକେ କାର୍ତ୍ତିକଙ୍କୁ ପ୍ରଥମେ ସିଟି ହସ୍ପିଟାଲ ପରେ ଏସ୍‌ସିବି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର କାର୍ତ୍ତିକଙ୍କୁ ମୃତ ଘୋଷଣା କରିଥିଲେ। ରାତି ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଲାଲବାଗ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଅନ୍ୟପକ୍ଷରେ ପୋଲିସ ସଞ୍ଜୀବଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏକ ଧାରୁଆ ଅସ୍ତ୍ରରେ କାର୍ତ୍ତିକଙ୍କ ପେଟକୁ ଆକ୍ରମଣ ହୋଇଛି ବୋଲି ଲାଲବାଗ ଆଇଆଇସି ଆଶୁତୋଷ ମିଶ୍ର କହିଛନ୍ତି।