ଛୁରି ଭୁସି ମହିଳାଙ୍କୁ ହତ୍ୟା

ଯୋଡ଼ା, ୯।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରି ଥାନା ଅନ୍ତର୍ଗତ ହାତିମରା ଗାଁର ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଚଳାଇଛି।
ମୃତା ମହିଳାଙ୍କ ନାମ ଉପସୀ ଗୋପ (୪୦)। ତାଙ୍କ ଘର ହାତିମରା ଗାଁର ଖଜୁରିଡିହି ସାହିରେ। ମଙ୍ଗଳବାର ସନ୍ଧ୍ୟାରେ କେତେକ ବ୍ୟକ୍ତି ତାଙ୍କ ଘର ନିକଟକୁ ଆସି ତାଙ୍କୁ ବାହାରକୁ ଆସିବାକୁ କହିଥିଲେ। ସେ ଘରୁ ବାହାରକୁ ଆସିବା ପରେ ତାଙ୍କ ପେଟ, ଛାତି ଓ ବେକକୁ ଛୁରା ମାଡ଼ କରାଯାଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି। ବାମେବାରି ଥାନା ଠାରୁ ବଣପାହାଡ଼ ଘେରା ହାତିମରା ଗାଁର ଦୂରତା ପ୍ରାୟ ୧୨ କି.ମି. ହେବ। ପୋଲିସ ଫେରିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଥାନା ପକ୍ଷରୁ କୁହାଯାଇଛି।