Categories: ରାଜ୍ୟ

ଛେଣ୍ଡିପଦା ଓ ମାଧପୁରରେ ବିଦ୍ୟୁତ୍‌ କାଟ: ଜନ ଅସନ୍ତୋଷ ବୃଦ୍ଧି

ଛେଣ୍ଡିପଦା/ମାଧପୁର, ୨୮।୫(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ଅଞ୍ଚଳରେ କିଛି ମାସ ହେବ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାବେଳେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ହନ୍ତସନ୍ତ କରିଦେଉଛି। ତୁରନ୍ତ ଏହାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଘଟଣାରୁ ଜଣାପଡ଼ିଛି, ସେସୁ ବିଭାଗ ପକ୍ଷରୁ ମରାମତି, ଗ୍ରୀଡ୍‌ ଫେଲୁଅର ଆଦି ଘୋଷଣା କରାଯାଇ ବିଦ୍ୟୁତ୍‌ କାଟ କରାଯାଉଥିବା ବେଳେ ଅଘୋଷିତ ଭାବେ ଦିନକୁ ଘଣ୍ଟା ଘଣ୍ଟା ଧରି ସେବା ବିଚ୍ଛିନ୍ନ କରାଯାଉଛି। ସେବା ଯୋଗାଉଥିବା କମ୍ପାନୀ ଉପଭୋକ୍ତାଙ୍କୁ ନ ଜଣାଇ ବିଦ୍ୟୁତ୍‌ କାଟ କରୁଥିବାରୁ ଉପଭୋକ୍ତାମାନଙ୍କୁ ଜରିମାନା ଦେବାକୁ ଦାବି ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।
ସେହିପରି ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବାବେଳେ ଏପରି ବିଦ୍ୟୁତ୍‌ କାଟ ଜନସାଧାରଣଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପ୍ରତି ଘଣ୍ଟାରେ ଥରେ ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ଗରମରେ ଛଟପଟ ହେଉଛନ୍ତି। ଏ ନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ବାରିକ କହିଛନ୍ତି, ଛୁଟିରେ ଅଛି। ତେଣୁ ଏ ବିଷୟରେ କିଛି କହି ପାରିବି ନାହିଁ। ସେହିପରି ବିଭାଗର ଅନ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ସମ୍ଭବ ହେଇପାରି ନାହିଁ।

Share