ଛେରା ପହଁରା କରନ୍ତି ଗାଁ ମୁଖିଆ

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ରଥଯାତ୍ରାର ସ୍ବତନ୍ତ୍ରତା ରହିଛି । ଏହି ରଥଯାତ୍ରାରେ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ, ଯେଉଁଠି ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ଦିଆଯାଇଥାଏ ।
ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେପରି ଗଜପତି ମହାରାଜା ରଥରେ ଛେରାପହଁରା କରନ୍ତି, ଠିକ୍‌ ସେହିପରି ଶାବର ଶ୍ରୀକ୍ଷେତ୍ରରେ କୁମ୍ଭା ଗ୍ରାମର ମୁଖିଆଙ୍କୁ ରାଜାଙ୍କ ଭଳି ସମ୍ମାନ ଦିଆଯାଇଥାଏ । ସେ ରାଜାଙ୍କ ଭଳି ରଥରେ ଛେରାପହଁରା କରନ୍ତି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଯୋଗଦେବା ପାଇଁ କୋରାପୁଟ ଜିଲାର ସମସ୍ତ ଆଦିବାସୀ ଗ୍ରାମକୁ ମନ୍ଦିର ପରିଚାଳନା କମିଟି ସ୍ବତନ୍ତ୍ର ଗୁଆ ନିମନ୍ତ୍ରଣ ପଠାଇଥାଏ ।
ରଥଟଣା ପୂର୍ବରୁ ସମସ୍ତ ଗ୍ରାମ ମୁଖିଆଙ୍କୁ ଜିଲାପାଳ ଶିରୋପା ବାନ୍ଧି ସମ୍ମାନିତ କରିଥାନ୍ତି। ଏଠାକାର ରଥଯାତ୍ରାରେ ରାଜ୍ୟର ସବୁଠାରୁ ଅଧିକ ଆଦିବାସୀ ଭକ୍ତଙ୍କ ସମାଗମ ହୋଇଥାଏ। ଆଦିବାସୀମାନେ ନିଜ ବାଡିରୁ ଅମଳ ହୋଇଥିବା ଫଳ, ଫୁଲ ଧରି ରଥଯାତ୍ରାରେ ପହଞ୍ଚତ୍ ପ୍ରଥମେ ଶ୍ରୀଜୀଉଙ୍କୁ ସମର୍ପଣ କରିବା ପରେ ଅନ୍ୟ ଭୋଗ ଲାଗି ହୋଇଥାଏ। ସେହିପରି ବାହୁଡ଼ା ଦିନ ବଡ଼ଦାଣ୍ଡ ଅଧାବାଟରେ ଟାଉନ ଥାନା ପୋଲିସ ଅଧିକାରୀଙ୍କ ପୁରୁଣା ବାସଭବନଠାରେ ରଥ ରହିବା ପରେ ଶ୍ରୀଜୀଉଙ୍କୁ ଛେନାପୋଡ଼ ଓ ପଣା ଭୋଗ ଦିଆଯିବାର ଅନନ୍ୟ ପରମ୍ପରା ରହିଛି। ସବୁଥର ଶାବର ଶ୍ରକ୍ଷେତ୍ରରେ ଗୋଟିଏ ରଥ ତିଆରି କରାଯାଉଥିବାବେଳେ ସେଥିରେ ଚତୁର୍ଦ୍ଧା ମୂରତିଙ୍କୁ ବିଜେ କରାଯାଇ ରଥ ଟଣାଯାଏ। କିନ୍ତୁ ଚଳିତ ବର୍ଷ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମର ଥର ପାଇଁ ୩ଟି ରଥ କରାଯାଇଛି। ଏଥର ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବେ। ସେହି ରଥରେ ୨ ଜଣ ମହିଳା ଡାହୁକ ରହିବେ। ସେହିପରି ଜଗନ୍ନାଥଙ୍କ ରଥରେ ଆଦିବାସୀ ରଙ୍ଗବାଲି କୁମ୍ଭାର ଦାସୀ ନାୟକ ଛେରାପହଁରା କରିବାକୁ ଥିବାବେଳେ ବଳଭଦ୍ରଙ୍କ ରଥରେ ଜିଲାପାଳ ଓ ସୁଭଦ୍ରାଙ୍କ ରଥରେ ଏସ୍‌ପି ଛେରାପହଁରା କରିବେ ବୋଲି ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ା
-ଅମିତାଭ ବେହେରା,
କୋରାପୁଟ