ଛେଳିଗଡ ଜଳସେଚନ ପ୍ରକଳ୍ପ ବିସ୍ଥାପନ କଲୋନୀ, ଚିହ୍ନଟ ଜମିରେ ଚାରା ରୋପଣ କଲେ ଜିଲାପାଳ, ଏସପି

ଦିଗପହଣ୍ଡି,୨୬।୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତ ବବୁଲିବନ୍ଧ ମୌଜା ବାଲିପାଟ ଗାଁ ନିକଟରେ ଛେଳିଗଡ ଜଳ ସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ପାଇଁ ଚିହ୍ନଟ ହୋଇଛି। ଏହି ଜମିରେ ସୋମବାର ଗଜପତି ଜିଲାପାଳ ଅନୁପମ ଶାହା ଏବଂ ଏସ୍‌ପି ସାରା ଶର୍ମା ସମେତ ମୋହନା ତହସିଲଦାର ସଂଘମିତ୍ରା ଦେବୀ, ବିଡିଓ ବଂଶୀଧର ଖୋସଲା ପହଞ୍ଚତ୍ ବିଭିନ୍ନ ଚାରାରୋପଣ କରଛନ୍ତି। ପ୍ରଥମେ ଜିଲାପାଳ ଓ ଏସ୍‌ପି ବିସ୍ଥାପିତ ହେବାକୁ ଥିବା କାକିଲି, ଶୁବୁବା, ଚଢ଼ିଆପଦା, ଧରପୁର, ତିଲିଗାଁ ଆଦିରୁ ଆସିଥିବା ଲୋକମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ଚିହ୍ନଟ ହୋଇଥିବା ପ୍ରାୟ ୬୮ ପରିବାରଙ୍କ ଲାଗି ନିର୍ମାଣ ହେବାକୁ ଥିବା ବିସ୍ଥାପନ ଓ ପୁନର୍ବାସ କଲୋନୀର ନିର୍ଦ୍ଧାରିତ ଜମିରେ ଚାରା ରୋପଣ କରାଯାଇଥିଲା। ଛେଳିଗଡ ବିସ୍ଥାପିତ କଲୋନୀ ଅଞ୍ଚଳ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫୦୦ ଚାରା ରୋପଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସୋମବାର ୪୦୦ ଚାରା ରୋପଣ କରାଯାଇଛି। ଜିଲାପାଳ ଓ ଏସ୍‌ପିଙ୍କ ଏହି ଗସ୍ତରେ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଇଂ.ନଗେନ୍ଦ୍ର ନାଥ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ତ୍ରିନାଥ ମହାରଣା, ଦିଗପହଣ୍ଡି ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, କନିଷ୍ଠ ଯନ୍ତ୍ରୀ ଇଂ.ପ୍ରେମ ମହାପାତ୍ରଙ୍କ ସମେତ ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି, ଜଳ ସମ୍ପଦ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।