ଛେଳି ଗିଳିବାକୁ ଆସି ଜାଲରେ ଫସିଲା ଅଜଗର

ଉଦଳା,୧୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଚନ୍ଦ୍ରପୁର ଗ୍ରାମରୁ ଶୁକ୍ରବାର ଏକ ସାଢେ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଗ୍ରାମରେ ଥିବା ଚାଷଜମି ନିକଟରେ ଏକ ଛେଳିକୁ ଗିଳିବା ନିମନ୍ତେ ଅଜଗରଟି ପିଛା କରୁଥିବା ବେଳେ ଏକ ଜାଲରେ ଛନ୍ଦି ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଉଦଳା ବନବିଭାଗକୁ ଖବର ଦେଇଥିଲେ। ଉଦଳା ବନବିଭାଗର ଫରେଷ୍ଟର ଆଶିଷ ବେହେରାଙ୍କ ସହିତ ବନ କର୍ମଚାରୀ, ସ୍ନେକ ଲାଇଫ ଲାଇନର ସଦସ୍ୟ ଅଭିଜିତ୍‌ ବେହେରା ଓ ସତ୍ୟବ୍ରତ ବିନ୍ଧାଣି ଘଟଣାସ୍ଥଳରେ ପହଞ୍ଚି ଜାଲ ଭିତରୁ ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି।