ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ

ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍‌ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ସଫଳ ହେବା ପରେ ଜନ୍ମ ନେଲା ନୂଆ ସଂକଳ୍ପ। ଏଣିକି ଆଉ ଖଟି ନୁହେଁ, ସମୟ ମିଳିଲେ ଅନ୍ୟ ପାଇଁ କିଛି କରିବାର ଇଚ୍ଛା ଉଙ୍କିମାରିଲା ସେମାନଙ୍କ ମନରେ। ସେଦିନର ସେହି ଛୋଟିଆ ପ୍ରୟାସ ଆଜି ସେମାନଙ୍କୁ ଆଦର୍ଶ ପ୍ରୟାସ ନାମରେ ଦେଇଛି ନୂଆ ପରିଚୟ। ଦେବକଲ୍ୟାଣ ମହାପାତ୍ର, ଦେବୀପ୍ରସାଦ ସାହୁ, ଦେବ ମଣ୍ଡଳ, ଦେବବ୍ରତ ପତି, ଦୀପକ ସାହୁ, ଦୀପକ ସ୍ବାଇଁ ଓ ଅମରେଶ ମଣ୍ଡଳ ପ୍ରମୁଖଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଯୁବକ ଏବେ ଆଦର୍ଶ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ପାରାଦୀପର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରନ୍ତି। ଆଉ କେତେଜଣ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି। ସମୟ ମିଳିଲେ ଅଠରବାଙ୍କୀ ଛକସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ମିଳିତ ହୋଇ ଖଟି କରନ୍ତି। ୨୦୧୧ ମସିହାରେ ଦିନେ ସେହି ଯୁବକମାନେ ଉକ୍ତ ଛକରେ ବସିଥିବାବେଳେ ଏକ ଦୁର୍ଘଟଣା ଘଟିଲା। ଏକ ଭାରିଯାନ ଧକ୍କାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରାସ୍ତାରେ ପଡି ଛଟପଟ ହେଉଥିଲେ। କେହି ତାଙ୍କୁ ଉଠାଇ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ନ ଥିଲେ। ତେବେ ଦେବୀପ୍ରସାଦ ଓ ଅମରେଶ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବିଜୁ ମେମୋରିଆଲ ହସ୍ପିଟାଲକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଓ ନିଜ ମଧ୍ୟରେ ଅର୍ଥ ଆଦାୟ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଇଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହୋଇଥିଲେ। ଏହି ଘଟଣା ଯୁବଗୋଷ୍ଠୀଙ୍କ ମନରେ ଏକ ପ୍ରକାର ଭାବାନ୍ତର ସୃଷ୍ଟି କଲା। ସେବେଠାରୁ ଚାଲିଲା ସାମାଜିକ କାର୍ଯ୍ୟ। ସେମାନଙ୍କ ସହ ଯୋଡ଼ିହେଲେ ବନ୍ଦର ଯନ୍ତ୍ରୀ ତଥା ପରିବେଶ ପ୍ରେମୀ ଅମରେଶ ନରେଶ ସାମନ୍ତ। ପାରାଦୀପର କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସେମାନେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କଲେ। ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ପରିସରରେ ଗଛ ଲଗାଇବା ସହ ପାଳି କରି ପାଣି ଦେଲେ ଓ ଯତ୍ନ ନେଲେ। ଧିରେ ଧିରେ ସେମାନଙ୍କ ସହ ଆହୁରି ଅନେକ ଯୁବକ ସାମିଲ ହେଲେ। ୨୦୧୨ରେ ସମସ୍ତେ ମିଶି ତିଆରି କଲେ ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ପ୍ରୟାସ। କୌଣସି ସରକାରୀ ଓ ବେସରକାରୀ ସହଯୋଗ ବିନା ସେମାନେ ଗଛ ଲଗାଇ ଚାଲିଲେ। ୭ ବର୍ଷ ମଧ୍ୟରେ ସେମାନେ ହସ୍ପିଟାଲ, ପାରାଦୀପ ଗଡ଼ ବିଦ୍ୟାଳୟ, ଡପ୍‌ଲର ରାଡ଼ାର ଓ କଲେଜ ପରିସରରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏଥିସହ ଜଙ୍ଗଲରେ ଜୀବଜନ୍ତୁ ଓ ପକ୍ଷୀଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯାଇଛି। ଖରାଦିନେ ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଉଛି। ମାନସିକ ବିକାରଗ୍ରସ୍ତଙ୍କୁ ଚିକିତ୍ସା, ପୋଷାକ ଓ ଖାଦ୍ୟ ଆଦି ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗାଉଛନ୍ତି। ଏଥିସହ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ସହାୟତା, ଛାତ୍ରୀଛାତ୍ରଙ୍କୁ ଆବଶ୍ୟକ ପାଠ୍ୟ ଉପକରଣ, ପ୍ରତିମାସ ଓ ପୂଜା ପାର୍ବଣ ବେଳେ ସଫେଇ, ବେଳାଭୂମି ସଫେଇ, ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନତା ସୃଷ୍ଟି, ଝୋଟ ବ୍ୟାଗ ବଣ୍ଟନ, ରକ୍ତଦାନ ଶିବିର, ଅଗ୍ନି ବିପନ୍ନଙ୍କୁ ସହାୟତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ, ଟ୍ରାଫିକ ସଚେତନତା ଆଦି କାର୍ଯ୍ୟ କରାଯାଉଥିବା ସଙ୍ଗଠନର ଉପଦେଷ୍ଟା ବିଷ୍ଣୁ ଚରଣ ମୁଦୁଲି କହିଛନ୍ତି। ଏଥିପାଇଁ ସଙ୍ଗଠନକୁ ପୌରପାଳିକା ପକ୍ଷରୁ ଏକାଧିଥର ସମ୍ମାନିତ କରାଯାଇଛି। କିନ୍ତୁ ଅନ୍ୟ କେଉଁଠାରୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳିନାହିଁ ବୋଲି କହିଛନ୍ତି ସଦସ୍ୟ କୈବଲ୍ୟ ସାହୁ। ତେବେ ସଙ୍ଗଠନ କାହାଠାରୁ ଆର୍ଥିକ ପ୍ରୋତ୍ସାହନ ଆଶା କରୁନାହିଁ। କାରଣ ସଦସ୍ୟମାନେ ପ୍ରତ୍ୟକ ଖର୍ଚ୍ଚ ମିଳିତ ହୋଇ ବହନ କରୁଛନ୍ତି। ଆଗାମୀ ଦିନରେ ପ୍ରଦୂଷଣମୁକ୍ତ ପାରାଦୀପ ଓ ଦୁର୍ଘଟଣା ରହିତ ରାଜପଥ ନିମନ୍ତେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ସୁଧିର ପରିଡ଼ା। ଆଜିର ଯୁବପିଢି ବିଭିନ୍ନ କାରଣରୁ ପଥଭ୍ରଷ୍ଟ ହେଉଛନ୍ତି। ଏଭଳି ସ୍ଥିତିରେ ବ୍ୟବସ୍ଥାରେ ପରିବର୍ତ୍ତନ ଲକ୍ଷ୍ୟ ରଖି ଆଗେଇ ଚାଲିଥିବା ଆଦର୍ଶ ପ୍ରୟାସର ଯୁବକମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ: ଧର୍ମେନ୍ଦ୍ର

ପାରାଦୀପ, ୨୪।୧୨(ଶରତ ରାଉତ):ପୂର୍ବୋଦୟରୁ ଭାରତର ବିକାଶ ହେବ। ଏହାର ପ୍ରକୃଷ୍ଟ ସ୍ଥାନ ହେଉଛି ପାରାଦୀପ। ରାଜ୍ୟ ଓ ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ। ବିଶ୍ୱ...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା...

ମହିଳାଙ୍କୁ ଅସଦାଚରଣ! ଜଗତସିଂହପୁର ସହକାରୀ ଜିଲାପାଳ ନିଲମ୍ବିତ

ଭୁବନେଶ୍ୱର,୧୮ା୧୨: କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଜଗତସିଂହପୁର ସହକାରୀ ଜିଲାପାଳ। ସହକାରୀ ଜିଲାପାଳ ଉମେଶଚନ୍ଦ୍ର ଲେଙ୍କାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ...

ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ

ପାରାଦୀପ,୧୨୧୨ (ଶରତ ରାଉତ): ପାରାଦୀପ ଅବକାରୀ ବିଭାଗର ସବଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସେନାପତି ଗୁରୁବାର ନିଲମ୍ବିତ ହୋଇଛନ୍ତି। କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ଉଦ୍ୟମ ଅଭିଯୋଗ...

ପାରାଦୀପରେ ୭୮ ବାଂଲାଦେଶୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ

ପାରାଦୀପ,୧୦।୧୨: ବାଂଲାଦେଶରେ ଏବେ କ୍ଷମତା ସଙ୍କଟ ଚାଲିଥିବା ବେଳେ ଭାରତ ସହିତ ମଧ୍ୟ ସମ୍ପର୍କ ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାରାଦୀପ ତଟରେ...

ବୋଉକୁ ଛେନାପୋଡ଼ ଖୁଆଇଥିଲି

ଜଗତ୍‌ସିଂହପୁର ଜିଲା ବିଓଁଳ ଗାଁର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ମୋ ଜନ୍ମ। ଆମର ଥାଏ ଅଳ୍ପ କିଛି ଚାଷଜମି। ଚାଷ ଓ ଛୋଟମୋଟ ବ୍ୟବସାୟରୁ ବାପା...

ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମରାମତିବେଳେ ଅଘଟଣ: ମାଟି ତଳେ ଚାପି ହୋଇ ଶ୍ରମିକଙ୍କ ଜୀବନ ଗଲା

ପାରାଦୀପ,୬ା୧୨: କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତିବେଳେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri