ଜଗଜ୍ଜନନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମଙ୍ଗଳା

କାକଟପୁର, ୭।୧୦(ଡି.ଏନ୍‌.ଏ.): ସୋମବାର ପୀଠେ ଦଶହରା ପାଳନ ଅବସରରେ ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳା ଜଗଜ୍ଜନନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବ୍ରାହ୍ମ ମୁହୂର୍ତ୍ତରେ ମନ୍ଦିର ଫିଟାଯାଇ ମଙ୍ଗଳ ଆଳତି, ମାଜଣା ପରେ ମା’ଙ୍କ ମୁଖରାବିନ୍ଦକୁ ଚନ୍ଦନ ବେଶ କରାଯାଇ ମା’ଙ୍କୁ ଜଗଜ୍ଜନନୀ ବେଶରେ ସଜ୍ଜା ଯାଇଥିଲା। ଅନ୍ୟାନ୍ୟ ପୂଜା ନୀତି ପରେ ମନ୍ଦିର ପହୁଡ଼ ଫିଟା ଯାଇଥିଲା। ମାତୃ ଭକ୍ତମାନେ ଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଉଅଣ୍ଡ ଧୂପ ପରେ ମା’ଙ୍କ ବିଜେ ପ୍ରତିମା ଓ କନକ ଦୁର୍ଗାଙ୍କୁ ଏକତ୍ର ଏକ ଖଟୁଲିରେ ଜଗମୋହନଠାରେ ଉତ୍ତରମୁଖା କରି ଉପବେଶନ କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଦୁଇ ପ୍ରତିମାଙ୍କୁ ଏକତ୍ର ଏକ ମଣିବିମାନରେ ବସାଯାଇ ଶୋଭାଯାତ୍ରାରେ ମୂଳାଗଡ଼ସ୍ଥିତ ସମେଶ୍ୱର ଶମ୍ଭୁ ମନ୍ଦିରକୁ ନିଆଯାଇଥିଲା। ସେଠାରେ ହରଦୁର୍ଗା ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରାଣୀ ଦ୍ୱୟଙ୍କୁ ବିମାନରେ ମନ୍ଦିର ଦ୍ୱାର ଫିଟାଯାଇ ଅଣାଯାଇ ବାହୁଡ଼ା ବିଜେ କରାଯାଇଥିଲା। ଜଗମୋହନଠାରେ ଜଗତି ପୂଜା ପରେ ଦୁଇ ଠାକୁରାଣୀ ସିଂହାସନ ବିଜେ କରିଥିଲେ। ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିଥିଲା।

Share