Categories: ବାଣିଜ୍ୟ

ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ,୨୬-୬: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାର ଜଗତସିଂହପୁରରେ ଏକ ପ୍ଲାଷ୍ଟିକ ପାର୍କ ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟାନ୍ବୟନ,ପରିବେଶ ମଞ୍ଜୁରୀ ସମେତ ଅନ୍ୟ ଆବଶ୍ୟକୀୟ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଗୁଡିକ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ। ମଙ୍ଗଳବାର ଲୋକସଭାରେ ଏକ ଲିଖିତ ଉତ୍ତର ଯୋଗେ କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଏହି ସୂଚନା ଦେଇଛନ୍ତି। ଜଗତ୍‌ସିଂହପୁର ବାଦ ପ୍ରାଥମିକ ପର୍ଯ୍ୟାୟରେ ଦେଶର ଅନ୍ୟ ୩ ସ୍ଥାନରେ ଏଭଳି ପାର୍କ ସ୍ଥାପନ ନେଇ ଯୋଜନା ଧାର୍ଯ୍ୟ ହୋଇଥିବା ଗୌଡା କହିଛନ୍ତି। ଏହି ସ୍ଥାନଗୁଡିକ ମଧ୍ୟରେ ଆସାମର ତିନସୁକିଆ ଜିଲା, ମଧ୍ୟପ୍ରଦେଶର ରାଇସେନ ଏବଂ ତାମିଲନାଡୁର ଥିରୁଭଲୁର ରହିଛି।
ଦେଶ ମଧ୍ୟରେ ଥିବା ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଶିଳ୍ପର ଭାଲ୍ୟୁ ସଂଯୋଗୀକରଣ, ପଲିମର ବ୍ୟବହାର କ୍ଷମତା ବୃଦ୍ଧି ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପ ସଂସ୍ଥାଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୌଡା କହିଛନ୍ତି। ସେହିଭଳି ଉକ୍ତ କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଏବଂ ଉନ୍ନତୀକରଣ ପଦକ୍ଷେପ, ଉତ୍ପାଦନ କ୍ଷମତା , ନିବେଶ ବୃଦ୍ଧି ନେଇ ପଦକ୍ଷେପ, ଭିତ୍ତିଭୂମିରେ ଉନ୍ନତୀକରଣ ଏବଂ ରପ୍ତାନୀ ତ୍ୱରାନ୍ବିତ ଲାଗି ଭାଲ୍ୟୁ ସଂଯୋଗକରଣ ସହ ଅନ୍ୟାନ୍ୟ ସୁବିଧା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ଗୌଡା ସ୍ପଷ୍ଟ କରିଛନ୍ତି। ଏହାବାଦ ବର୍ଯ୍ୟବସ୍ତୁ ପରିଚାଳନା ଏବଂ କ୍ଲଷ୍ଟର ଉନ୍ନତୀକରଣ ଲାଗି ପଦକ୍ଷେପ ସହ ପରିବେଶ ଉପଯୋଗୀ ଅଭିବୃଦ୍ଧି ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଣିପୁର, ଜମ୍ମୁ-କଶ୍ମୀର ଏବଂ ରାଜସ୍ଥାନଠାରେ ଏହି ପାର୍କ ସ୍ଥାପନ ପାଇଁ ପ୍ରସ୍ତାବ ମିଳିଥିଲା। ଆବଶ୍ୟକୀୟ ଯୋଗ୍ୟତା ଏବଂ ଡିପିଆର୍‌ଏସ୍‌ ସମାପ୍ତି ଆଧାରରେ ଝାଡଖଣ୍ଡର ଦେଓଘର ଏବଂ ମଧ୍ୟପ୍ରଦେଶର ବିଲାଉଆଠାରେ ୨୦୧୮-୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଚୂଡାନ୍ତ ମଞ୍ଜୁରୀ ଦିଆଯାଇଥିଲା।

Share