Categories: ରାଜ୍ୟ

ଜଗତ୍‌ସିଂହପୁରରେ ମଧ୍ୟାହ୍ନଭୋଜନ ଚାଉଳ କେଳେଙ୍କାରୀ ମାମଲା: ଚାଉଳ, ଅଖାରେ ୧.୩୨ କୋଟି ଚଳୁ

ଜଗତ୍‌ସିଂହପୁର ଅଫିସ, ୧୩।୭: ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଜିଲାର ଜଗତ୍‌ସିଂହପୁର, ବାଲିକୁଦା, ବିରିଡ଼ି, ନାଉଗାଁ ଓ ରଘୁନାଥପୁର ବ୍ଲକ ଅଞ୍ଚଳରେ ଥିବା ଶତାଧିକ ବିଦ୍ୟାଳୟରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଚାଉଳ ଅନିୟମିତତା ହୋଇଥିବା ଖବର ‘ଧରିତ୍ରୀ’ରେ ଗତ ୩ ତାରିଖରେ ପ୍ରକାଶ ପାଇଥିଲା। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଚାଉଳ ଅନିୟମିତତା ପରି ଅଖା, ଏମ୍‌ଡିଏମ୍‌ ମେଳା, ରୋଷେୟାଙ୍କ ତାଲିମ ଆଦିରେ ପାଖାପାଖି ଆହୁରି ୭୧ ଲକ୍ଷ ଟଙ୍କା ଏହିପରି ମୋଟ ୧.୩୨ କୋଟି ଟଙ୍କା ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏସବୁ ରାଶି ତୁରନ୍ତ ଫେରସ୍ତ ଓ ୟୁସି ଆଦି ଦାଖଲ ପାଇଁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ ସମେତ ୫ଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ପରିବହନ ସଂସ୍ଥାକୁ ଚିଠି କରିଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି ବିଦ୍ୟାଳୟ ଫେରାଇବାକୁ ଥିବା ଚାଉଳ ମୂଲ୍ୟ ଏମ୍‌ଡିଏମ୍‌ ଆକାଉଣ୍ଟରେ ଜମା କରି ନ ଥିବା କୁହାଯାଉଛି। ଧାର୍ଯ୍ୟ ସମୟରେ ଅର୍ଥ ଫେରସ୍ତ ହୋଇ ନ ଥିବାରୁ ଡିଇଓ ଗତ ୧୦ ତାରିଖରେ ପୁଣିଥରେ ୫ ବ୍ଲକର ବିଇଓ ଓ ପରିବହନ ସଂସ୍ଥାକୁ ରିମାଣ୍ଡର ପଠାଇଛନ୍ତି। କାହିଁକି ଧାର୍ଯ୍ୟ ସମୟରେ ଟଙ୍କା ଫେରାଇଲେ ନାହିଁ ବୋଲି ପ୍ରଶ୍ନ କରିବା ସହ ଏହା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଦାସ କହିଛନ୍ତି, ଜୁନ୍‌ ୨୫ ସୁଦ୍ଧା ଅର୍ଥରାଶି ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେମାନେ ଏହି ରାଶି ପୈଠ କରିନାହାନ୍ତା। ତେଣୁ ସେମାନଙ୍କ ନିକଟକୁ ରିମାଣ୍ଡର ପଠାଯାଇଛି। ଏହା ସତ୍ତ୍ୱେ ଯଦି ପରିବହନ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅର୍ଥ ପୈଠ ନ କରନ୍ତି ଆଗାମୀ ଦିଗରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଖା ସମ୍ପର୍କରେ କହିଛନ୍ତି, ୫ଟି ବ୍ଲକର ହିସାବ ଆସିଛି। ଅବଶିଷ୍ଟ ୩ଟି ବ୍ଲକରେ ତଦନ୍ତ ଚାଲିଛି। ଏହି ୩ ବ୍ଲକରେ ମଧ୍ୟ ଅଖା ଟଙ୍କା ଆତ୍ମସାତ ହୋଇଥିବା ଆଭାଷ ମିଳିଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

Share