Categories: ରାଜ୍ୟ

ଜଗତ୍‌ସିଂହପୁର ଛିନ୍‌ତାଇ ମାମଲା: ଏକାଧିକ ମାମଲାରେ ସମ୍ପୃକ୍ତ ୭ ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ, ୧୩ା୬: କିଛି ଦିନ ହେବ ଜଗତ୍‌ସିଂହପୁର ସହରରେ ଅପରାଧୀମାନେ ଦିନ ଦ୍ୱି ପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍‌ ଛିନତାଇ କରି ନେବା ଖବର ପୋଲିସ କାର୍ଯ୍ୟକଳାପ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଏହାକୁ ନେଇ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବା ଅଭିଯାନ ଜୋରଦାର କରାଯାଇଥିଲା। ସୌଭାଗ୍ୟ ପୋଲିସ ଏଥିରେ କେତେକାଂଶରେ ସଫଳ ହୋଇଛି। ଜଣେ ଅନ୍ତଜିଲା ଅପରାଧୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ଏଥିସହ ୩ଟି ସୁନା ଚେନ୍‌ ଓ ୪ଟି ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥପୁର ଥାନା ଜିରାରେ ଅବସ୍ଥାପିତ ତଥା ପାରାଦୀପ ଗଡ଼ ନିଁଡିହିର ରାଜା ଓରଫ ବିଶ୍ୱନାଥ ନାୟକ (୨୬), ଜଗତ୍‌ସିଂହପୁର ଥାନା ପଳାଶୋଳର ବୁଣ୍ଟି ଓରଫ ସ୍ବୟାଂଶୁ ସତ୍ୟରଞ୍ଜନ ଦାସ (୨୨), ଏହିଥାନା ଅଧୀନ ପଳସୁଧା ବାଉରୀ ସାହିର ନାଲୁଆ ଓରଫ ସଂଗ୍ରାମ ଦାସ (୨୧), ଓଳି ଓରଫ ସନାତନ ଦାସ (୨୧), ରଘୁନାଥପୁର ଥାନା ଜିରାର ଗାଣ୍ଡୁ ଓରଫ ନିରାକାର ଦାସ (୨୩), କୁଜଙ୍ଗ ଥାନା ଜଗନ୍ନାଥପୁରର ପୁପା ଓରଫ ଶକ୍ତି ରଞ୍ଜନ ମହାନ୍ତି ଓ ଏହିଥାନା ବଳରାମପୁରର ବାପି ଓରଫ ସୋମନାଥ ନାଥ (୨୧)। ରାଜା ହେଉଛନ୍ତି କିଙ୍ଗପିନ୍‌। ସେ କେବଳ ଜଗତ୍‌ସିଂହପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲାରେ ଅପରାଧ ଘଟାଇଥିବା ଅଭିଯୋଗ ରହିଛି। ଅନ୍ୟମାନେ ଜିଲାର ପାରାଦୀପ, ଜଗତ୍‌ସିଂହପୁର ସମେତ ବିଭିନ୍ନ ଥାନା ଅଞ୍ଚଳରେ ଅପରାଧରେ ସମ୍ପୃକ୍ତ। ବୁଧବାର ଜଗତ୍‌ସିଂହପୁର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଆୟୋଜିତ ସମ୍ମିଳନୀରେ ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଥିଲେ, ୩୦ା୫ା୧୯ ଓ ୮ା୬ା୧୯ରେ ଜଗତ୍‌ସିଂହପୁର ସହରରେ ପୃଥକ ଛିନତାଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଗୁରୁତର ସହ ନିଆଯାଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତତ୍ପର ହୋଇଥିଲା। ଆୟୋଜିତ ଖବରଦାତା ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ତଥା ଜଗତସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୩୦ା୫ା୧୯ରେ ଅଭିଯୋଗକାରୀ ସ୍ଥାନୀୟ ଖେରସରର ଅନିତା ପ୍ରଧାନ ଦର୍ଶାଇଥିଲେ ସେ, ତାଙ୍କ ସ୍ବାମୀ ଓ ପିଲାଙ୍କ ସହ ସାଇ ମନ୍ଦିର ଯାଇ ଫେରୁଥିବା ବେଳେ କୋର୍ଟ ଛକ ନିକଟରେ ୨ଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛିଡାଇ ନେଇଥିଲେ। ଏହା ଉପରେ ଜଗତ୍‌ସିଂହପୁର ଥାନାରେ ମାମଲା ସଂଖ୍ୟା ୧୯୦/୧୯ ରୁଜୁ ହୋଇଥିଲା। ସେହିପରି ଗୋପାଳସାଗରର ଘନଶ୍ୟାମ ସ୍ବାଇଁ ଅଭିଯୋଗରେ ଦର୍ଶାଇଥିଲେ ସେ ତାଙ୍କ ସ୍ତ୍ରୀଙ୍କ ସହ ବାଇକ୍‌ରେ ଦଶ ନମ୍ବରରୁ ହାଟବଜାର ସତ୍‌ସଙ୍ଗ ବିହାର ଅଭିମୁଖେ ଯାଉଥିଲେ। ଠିକ ଏସ୍‌କେ ଏକାଡେମୀ ପଡିଆ ନିକଟରେ ଏକ ବାଇକ ଯୋଗେ ଦୁର୍ବୁତ୍ତ ଆସି ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ୍‌ ଛିଡାଇ ନେଇଥିଲେ। ଅଭିଯୋଗ ପରେ ଜଗତସିଂହପୁର ପୋଲିସ ମାମଲା ସଂଖ୍ୟା ୨୧୨/୧୯ ରୁଜୁ କରିଥିଲା। ଏହା ପୂର୍ବରୁ ମଧ୍ୟ ଅନୁରୂପ ଅପରାଧିକ ମାମଲା ରହିଛି। ଏସବୁକି ଦୃଷ୍ଟିରେ ରଖି ପୋଲିସ ତତ୍ପର ହୋଇ ପଡିଥିଲା।

Share