ଜଗତ୍‌ସିଂହପୁର ପୌର ପରିଷଦ: ୧୮୭ ଉଠା ଦୋକାନୀଙ୍କୁ ମିଳିଲା ଫନୀ ସହାୟତା

ଜଗତ୍‌ସିଂହପୁର ଅଫିସ,୩୦ା୧: ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ବିଭିନ୍ନସ୍ଥାନରେ ଉଠାଦୋକାନ କରି ଗୁଜରାଣ ମେଣ୍ଟାଉଥିବା ଦୋକାନୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଫନୀ ସହାୟତା ରାଶି ପ୍ରଦାନ କରାଯାଇଛି। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଉଠା ଦୋକାନୀ ପିଛା ୧୦ ହଜାର ଟଙ୍କା ଲେଖାଏ ମୋଟ ୧୮ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଜଗତ୍‌ସିଂହପୁର ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉତ୍ସବର ଆୟୋଜନ ହୋଇଥିଲା। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ଜଗତ୍‌ସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଏଡିଏମ୍‌ଓ ଡ. ବସନ୍ତ କୁମାର ପାଢୀ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପୌରାଞ୍ଚଳ ପରିଚାଳନାରେ ପରିବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଅଙ୍ଗୀକାର ଅଭିଯାନ ସମ୍ପର୍କରେ ବିବରଣୀ ପାଠ କରିଥିଲେ ପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା। ସରୋଜ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଓ ଇଂ. ଦେବବ୍ରତ ମିଶ୍ର ଧନ୍ୟବାଦ ଦେଇଥିଲେ। ଉତ୍ସବ ନେଇ ପୂର୍ବରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।

Share