ଜଗମୋହନ ମରାମତି ମାମଲା: ଆମିକସ୍‌ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ

କଟକ ଅଫିସ,୨୩।୭: ବାତ୍ୟା ଫନୀରେ ଶ୍ରୀମନ୍ଦିରରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ନେଇ ସୋମବାର ଆମିକସ୍‌ କ୍ୟୁରୀ ଏନ୍‌. କେ. ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ ହୋଇଛି। ମନ୍ଦିରର କେଉଁଠି କ୍ଷତିଘଟିଛି ଏବଂ ଏହାର ମରାମତି କେତେଦୂର ଅଗ୍ରସର ହୋଇଛି ସେସବୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ମନ୍ଦିରର ପ୍ରତିକୃତି, ସାକ୍ଷୀଗୋପାଳ ମନ୍ଦିରର ଛାତ, ଭୋଗମଣ୍ଡପ କଳସର ବ୍ରାସ୍‌ ଜ୍ୟାକେଟ୍‌, ରନତ୍ଭଣ୍ଡାର, ଭୋଗମଣ୍ଡପ ବାହାରେ ବ୍ୟବହାର ହୋଇଥିବା ପ୍ଲାଷ୍ଟର, ଆନନ୍ଦବଜାର ଚଟାଣରେ ଲାଗିଥିବା ପଥର ଆଦିର ମରାମତି ଏଏସ୍‌ଆଇ ଶେଷ କରିସାରିଛି। ସେହିପରି ରଥଯାତ୍ରା ସମୟରେ କେଉଁ କେଉଁ କାର୍ଯ୍ୟର ମରାମତି ଶେଷ ହୋଇଛି ତାହାର ମଧ୍ୟ ଏକ ତାଲିକା ଆମିକସ କ୍ୟୁରୀ ଦାଖଲ କରିଛନ୍ତି। ନାଟମଣ୍ଡପ ଚଟାଣରେ କ୍ଷତିଗ୍ରସ୍ତ ହୋଇଥିବା ପଥର, ଭୋଗମଣ୍ଡପର ପଥରର ପୁନଃସ୍ଥାପନ କରାଯାଇଛି। ତେବେ ନାଟମଣ୍ଡପ ମରାମତି ସଂକ୍ରାନ୍ତରେ ଚେନ୍ନାଇ ଆଇଆଇଟି ଏ ପର୍ଯ୍ୟନ୍ତ ଏଏସ୍‌ଆଇକୁ ରିପୋର୍ଟ ପ୍ରଦାନ କରିନାହିଁ। ରିପୋର୍ଟ ଆସିବା ପରେ ଏଏସ୍‌ଆଇ ନାଟମଣ୍ଡପକୁ ନେଇ ପରବର୍ତ୍ତୀ କାର୍ଯ୍ୟ କରିବ। ଜଗମୋହନ ମରାମତିକୁ ନେଇ ଆଉ କ’ଣ କ’ଣ କାର୍ଯ୍ୟ କରାଯିବ ତାହା ଉପରେ ଆମିକସ୍‌ କ୍ୟୁରୀ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ନାଟମଣ୍ଡପର ଫାଟିଥିବା ବିମ୍‌ ପ୍ରତି ଧ୍ୟାନ ଦେବାକୁ ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି। ମନ୍ଦିର ବାହାରେ ଥିବା ବିଭିନ୍ନ ପଥର ଏବଂ ଯୋଡେଇ ସ୍ଥାନଗୁଡିକୁ ବିଭିନ୍ନ ସମୟରେ ତଦାରଖ କରାଯିବାର ଆବଶ୍ୟକତା ରହିଛି। ଯଦି କିଛି ଅସୁବିଧା ଥିବାର ଜଣାପଡ଼େ, ତାହେଲେ ଏହାର ମରାମତି ମଧ୍ୟ କରାଯିବା ଆବଶ୍ୟକ। ଏହି ରିପୋର୍ଟ ଦାଖଲ ଅବସରରେ ଆମିକସ୍‌ କ୍ୟୁରୀ ମହାନ୍ତି ଦିବ୍ୟାଙ୍ଗଙ୍କ ଲାଗି ମନ୍ଦିର ପ୍ରବେଶ କରାଯିବାକୁ ନେଇ ଚାଲିଥିବା ଆୟୋଜନ ସମ୍ପର୍କରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିବ୍ୟାଙ୍ଗମାନେ ସହଜରେ ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ମାସକ ମଧ୍ୟରେ ଦିବ୍ୟାଙ୍ଗମାନଙ୍କୁ ଏହି ସୁବିଧା ମିଳିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଜବାବ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‌.ଝାବେରୀ ଏବଂ ବିଚାରପତି କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସେପ୍ଟେମ୍ବର ୬କୁ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣିରେ ମହାନ୍ତି ପୁଣି ମନ୍ଦିର ମରାମତିର ଅଗ୍ରଗତି ସଂକ୍ରାନ୍ତରେ ରିପୋର୍ଟ ଦେବେ।

Share