ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି। ମନ୍ତ୍ରୀ ପଣ୍ଡା ଜଗା, କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିବା ସହ ଜଗା ସହିତ କିଛି ସମୟ ଖେଳିଥିଲେ। ଏହା ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଜଗା, କାଳିଆ ଏବେ ସୁସ୍ଥ ଅଛନ୍ତି। ଜଗା ହସ୍ପିଟାଲରେ ଚଲାବୁଲା କରୁଛି, ଖେଳୁଛି। କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିଛି। ଏମ୍‌ସ ଡାକ୍ତରଙ୍କ ସମେତ ୧୪ ଜଣିଆ ଡାକ୍ତରୀ ଟିମ୍‌ ଦୁହିଁଙ୍କୁ ଚିକିତ୍ସିତ କରୁଛନ୍ତି। ଜଗା ସ୍କୁଲ ଯିବା ପାଇଁ ପ୍ରସ୍ତୁତ। କିନ୍ତୁ ତା’ର ମୁଣ୍ଡରେ ଚିକିତ୍ସା ବାକି ଥିବାରୁ କିଛିଦିନ ବ୍ୟବଧାନରେ ସେ ସ୍କୁଲ ଯାଇପାରିବ। କାଳିଆ ଖୁବ୍‌ଶୀଘ୍ର ଭଲ ହୋଇ ଚଲାବୁଲା କରିବା ନେଇ ଆମେ ଆଶା ରଖିଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଡାକ୍ତରୀ ଟିମ୍‌ ସମେତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସି.ବି.କେ. ମହାନ୍ତି ଏବଂ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Share