ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଅପରେଶନ ଦ୍ୱାରା ଅଲଗା ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଦୁଇଭାଇ ଜଗା-କାଳିଆ ଖୁବ୍‌ଶୀଘ୍ର କଟକ ଏସ୍‌ସିବି ମେଡିକାଲକୁ ଆସିବେ। ଏନେଇ ତାରିଖ ନିର୍ଦ୍ଧାରଣ କରାଯାଇ ନ ଥିଲେ ମଧ୍ୟ ଏସ୍‌ସିବିରେ ଦୁଇଭାଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରି ବିଭାଗ ଭଳି ଅନ୍ୟ ବିଭାଗର ମଧ୍ୟ ବରିଷ୍ଠ ଡାକ୍ତର ସାମିଲ ଅଛନ୍ତି। ଜଗା-କାଳିଆଙ୍କୁ ଏସ୍‌ସିବି ଅଣାଯିବା ପରେ ସେଠାରେ ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍‌ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଦୁଇ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚସହ ସମସ୍ତ ପ୍ରକାର ସମସ୍ୟା ଉପରେ ଡାକ୍ତରୀ ଟିମ୍‌ ନଜର ରଖିବ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଯଦି ଆବଶ୍ୟକ ପଡ଼େ, ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯିବ ବୋଲି ଡା. ମହାରଣା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଦୁଇଜଣଙ୍କୁ ଓଡ଼ିଶାରେ କେଉଁଠି ରଖାଯିବ ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ଚାଲିଥିଲା। ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ବିଭାଗ ସ୍ଥିର କରିବା ସହ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିଥିଲେ। କିନ୍ତୁ ଭୁବନେଶ୍ୱର ଏମ୍ସରୁ କୌଣସି ଉତ୍ତର ନ ମିଳିବାରୁ ଏସ୍‌ସିବିରେ ରଖିବା ପାଇଁ ନଷ୍ପତ୍ତି ହୋଇଛି। ଦିଲ୍ଲୀରୁ କେବେ ଆସିବେ ତାହା ସପ୍ତାହକ ମଧ୍ୟରେ ନିଷ୍ପତ୍ତି ହେବ।