Advertisement

ଜଗା ସୁସ୍ଥ, ପୂର୍ବପରି ରହିଛି କାଳିଆ ଅବସ୍ଥା:କିଛି ମାସ ଚିକିତ୍ସା ପରେ ଜଗା ସ୍କୁଲ ଯିବ

କଟକ ଅଫିସ, ୧୦।୯: କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର କଟକ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ବା ପରେ ଚିକିତ୍ସା ଆରମ୍ଭ ହୋଇଯାଇଛି। ୧୪ ଜଣିଆ ଡାକ୍ତରୀ ଟିମ୍‌ ଉଭୟଙ୍କ ଖାଇବା, ଶୋଇବା ସହ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଏସ୍‌ସିବିରେ ପହଞ୍ଚତ୍ବା ପରଠାରୁ ଜଗା ସୁସ୍ଥ ଥିବାବେଳେ କାଳିଆର ମାନସିକ ସ୍ଥିତିରେ ସୁଧାର ଆସୁନାହିଁ। ତାକୁ ସୁସ୍ଥ କରିବା ପାଇଁ ଡାକ୍ତରୀ ଟିମ୍‌ ଲାଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ଜଗା ପାଠ ପଢିବା ପାଇଁ ସମର୍ଥ ବୋଲି ଡାକ୍ତରୀ ଟିମ୍‌ ମତ ଦେଇଛନ୍ତି। ଏହି ଟିମ୍‌ରେ ୨ ଜଣ ଏମ୍‌ସ ଡାକ୍ତର ଅଛନ୍ତି। କାଳିଆର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଟିମ୍‌ର ଚିନ୍ତା ବଢିବାରେ ଲାଗିଛି। କାଳିଆ ଯେପରି ସଂକ୍ରମଣ ରୋଗରେ ଆକ୍ରାନ୍ତ ନ ହୁଏ ସେ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଚାଲିଛି। ଏ ନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଜଗା ସୁସ୍ଥ ଥିବାବେଳେ ପାଠ ପଢିବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି। କାଳିଆର ଅବସ୍ଥା ପୂର୍ବପରି ରହିଛି। ଆମ ପକ୍ଷରୁ ମଧ୍ୟ ଜଗା ପଢିବାକୁ ମତ ରଖାଯାଇଛି। ଏବେ ତାଙ୍କ ମା’ବାପାଙ୍କ ଉପରେ ପାଠପଢା ନିର୍ଭର କରେ। ଜଗା-କାଳିଆଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡା. ସୁଧାଂଶୁ ମିଶ୍ର କହିଛନ୍ତି, କାଳିଆଙ୍କୁ ମଝିରେ ମଝିରେ ଜ୍ୱର ଆସୁଛି। ଆଜି ଦିନରେ ଥରେ ଜ୍ୱର ହୋଇଥିଲା। କିନ୍ତୁ ତାହା ଭଲ ହୋଇଯାଇଛି। ଆଗାମୀ ଦିନରେ ପୁନର୍ବାର ଯେପରି ଜ୍ୱର ନ ହୁଏ ସେ ଦିଗରେ ଦୃଷ୍ଟି ଦିଆଯାଉଛି। କାଳିଆର ପେଟ ବାଟେ ତରଳ ଖାଦ୍ୟ ଖାଇବାକୁ ଦିଆଯାଉଛି। ଏବେ ସେ ସୁସ୍ଥ ଅଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆମ ଟିମ୍‌ ଦିନରାତି ଚେଷ୍ଟା ଚଳାଇଛନ୍ତି। ଜଗାକୁ ଆମିଷ, ନିରାମିଷ ଖାଦ୍ୟ ଦିଆଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share