ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ ରଣାସିଙ୍ଗ(୬୦)। ଅନ୍ୟ ସାଥୀଙ୍କ ସହ କଦଳୀ ଟୋଲ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।
ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ଗତ କିଛିଦିନ ହେବ ୩ ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ହାତୀ ଭୟରେ ବାହାରକୁ ଯିବାଆସିବା କରିବାକୁ ଲୋକେ ଭୟ କରୁଛନ୍ତି। ବନ ବିହାରୀପୁର ଗ୍ରାମ ନିକଟରେ ଏହି ହାତୀ ବିଶେଷଭାବେ ଚଳପ୍ରଚଳ କରୁଛନ୍ତି। ଏନେଇ ଡିଏଫ୍‌ଓ ସନ୍ତୋଷ ଯୋଶୀ କୁହନ୍ତି, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ବେଳେ ହାତୀଙ୍କ ଉପରେ ନଜର ରଖାଯାଇଛି। ଜଙ୍ଗଲକୁ ନ ଯିବା ପାଇଁ ଏବଂ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି।