ଜଙ୍ଗଲରୁ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନ ବିଭାଗ ତତ୍ପର

ଦାରିଙ୍ଗବାଡ଼ି,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଗଦଡ଼ି ସଂରକ୍ଷିତ ଜଙ୍ଗଲରୁ କେହି ଦୁର୍ବୃତ୍ତ ଗଛ କାଟି ନେବା ଘଟଣାରେ ବନ ବିଭାଗର ତପତ୍ରତା ପ୍ରକାଶ ପାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ବନପାଳ ହରିହର ବେହେରା ଏବଂ ବନରକ୍ଷୀ ସୁବ୍ରତ ନାୟକ ସ୍କ୍କାଡ ଟିମ୍‌ ନେଇ ପହଞ୍ଚିଛନ୍ତି। ତଦନ୍ତ କରାଯିବା ସହ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କେହି ଦୁର୍ବୃତ୍ତ ଜମି ଅଧିଗ୍ରହଣ ପାଇଁ ଜଙ୍ଗଲକୁ କାଟି ସଫା କରିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିସହ ଉକ୍ତ ଜଙ୍ଗଲ ସଂରକ୍ଷିତ ନା କୌଣସି ବ୍ୟକ୍ତିଗତ ଜମି ତାହା ବନ ବିଭାଗ ଗୁରୁତର ସହ ତଦନ୍ତ ଚଳାଇଛି। ବନ ବିଭାଗର ନୂତନ ନକ୍ସା ପ୍ରସ୍ତୁତି ପରେ ସଂରକ୍ଷିତ ଜଙ୍ଗଲ ନା ତାହା ରାଜସ୍ବ ଜମି ସେନେଇ ସ୍ପଷ୍ଟ ହେବ। ଏ ସମ୍ପର୍କରେ ବନପାଳ କହିଛନ୍ତି, ଜଙ୍ଗଲକୁ କିଏ କାଟିଛି ଜଣାପଡ଼ିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।