ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼, ୨୩।୭ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଜନୈକା ନାବାଳିକା (୧୬)ଙ୍କ ଗଳିତ ମୃତଦେହ ସୋମବାର ଅପରାହ୍ନରେ ପୋଲିସ ଉଦ୍ଧାର କରିଛି। ନାବାଳିକାଙ୍କ ଅଙ୍ଗବସ୍ତ୍ର ନ ଥିବାରୁ ତାଙ୍କୁ ବଳାତ୍କାର ପରେ ଗଳା ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଦଶମ ଶ୍ରେଣୀ ପାସ କରିଥିବା ଏହି ନାବାଳିକା ଜଣକ ଗତ ଶନିବାରରୁ ନିଖୋଜ ଥିଲେ। ଜଙ୍ଗଲ ମଧ୍ୟରେ ଏହି ନାବାଳିକାଙ୍କ ମୃତଦେହ ପଡିଥିବା ପ୍ରଥମେ ସ୍ଥାନୀୟ ଜଣେ ଛେଳି ଚରାଳି ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହି ସମୟରେ ନାବାଳିକାଙ୍କ ବାପା ଝିଅର ନିଖୋଜ ସମ୍ପର୍କରେ ହେମଗିର ଥାନାକୁ ଖବର ଦେବାକୁ ଯାଉଥିଲେ। ଜଙ୍ଗଲରେ ମୃତଦେହ ପଡ଼ିଥିବା ଗଁା ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଳିତ ମୃତଦେହ ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ମୃତା ନାବାଳିକାଙ୍କ ଘର ପାଖ ଗ୍ରାମରେ। ପୋଲିସ ମୃତଦେହ ଜବତ କରିଛି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ଠିକ୍‌ ରିପୋର୍ଟ ଆସିବ ବୋଲି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରକାଶ କରିଛନ୍ତି।

Share