Categories: ଗଞ୍ଜାମ

ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ

ଶଙ୍କରାଖୋଲ,୨୧ା୬(ଡି.ଏନ୍‌.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି ଘଟଣାରେ ଟିକାବାଲି ପୋଲିସ ଗୁରୁବାର ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜନକଙ୍କ ସାନଭାଇ ବେଲାଳସେନ ଓ ସାଙ୍ଗ ଚିନୁ ମଲ୍ଲିକ। ଚିନୁଙ୍କଠାରୁ ଚୋରା ଦେଶୀବନ୍ଧୁକ ଜବତ ହୋଇଥିବାବେଳେ ଏନେଇ ନଂ.୬୪/୧୯ରେ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିବା ଆଇଆଇସି ଆଦିତ୍ୟ କୁମାର ସେଠୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ରଜ ଉପଲକ୍ଷେ ଶନିବାର ଅପରାହ୍ନରେ ଜନକ, ବେଲାଳସେନ ଓ ଚିନୁ ଶିକାର କରିବାକୁ ଭୂଲେଶ୍ୱରୀ ଜଙ୍ଗଲକୁ ଯାଇଥିଲେ। ତାଙ୍କ ପଛରେ ସେହି ଗ୍ରାମର ଅନ୍ୟ ୨ଜଣ କିଣା ମଲିକ ଓ ଆନନ୍ଦେଶ୍ୱର ମଲିକ କାଠ ଆଣିବାକୁ ଯାଇଥିଲେ। ସେହି ସମୟରେ ଚିନୁ ଚୋରା ଦେଶୀ ବନ୍ଧୁକ କାନ୍ଧରେ ଝୁଲାଇ ନେଉଥିବାବେଳେ ଅସାବଧାନତାବଶତଃ ଖସିପଡି ଗୁଳି ଫୁଟିଥିଲା। ଚିନୁ ଆଗରେ ଥିବା ଜନକଙ୍କ ବାମଗୋଡରେ ଗୁଳି ବାଜିଥିଲା। ତାଙ୍କୁ ସେଠାରୁ ଆଣି ଅଟୋଯୋଗେ ପ୍ରଥମେ ଟିକାବାଲି ମେଡିକାଲ ଓ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏନେଇ ଘଟଣାଦିନ ଜନକ କହିଥିଲେ, ଲଙ୍ଗଳ ପାଇଁ କାଠ ହାଣିବାକୁ ଜଙ୍ଗଲକୁ ଯାଇଥିଲୁ। କାଠ କାଟିଲା ବେଳେ ହଠାତ ପଛପଟୁ ଗୁଳି ଆସି ବାଜିଥିଲା।