Categories: ଗଞ୍ଜାମ

ଜଙ୍ଗଲ ଆଇନ ସଂଶୋଧନ ଯୋଜନା:  ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ

ଭଞ୍ଜନଗର,୨୮।୯(ଡି.ଏନ.ଏ.)-୧୯୨୭ ମସିହା ଜଙ୍ଗଲ ଜମି ଆଇନକୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଯାଉଛନ୍ତି। ଉକ୍ତ ଆଇନ କାର୍ଯ୍ୟାକାରୀ ହେଲେ ଦେଶରେ ୧୧ଲକ୍ଷ ଆଦିବାସୀ ପରିବାର ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚତ୍ତ ହେବେ। ଏହି ଆଶଙ୍କାରେ ଶୁକ୍ରବାର ଚାଷୀ ମୂଲିଆ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନର ନେତୃତ ଜିଲା ସଭାପତି ନିରାକର ନାୟକ ନେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ୨୦୦୬ରେ ପ୍ରାୟ ୧୧ଲକ୍ଷ ଆଦିବାସୀଙ୍କ ଜଙ୍ଗଲ ଜମି ପଟା ଆବେଦନକୁ ନାକଚ କରି ଦିଆଯାଇଥିଲା। ନୂଆ ଆଇନ କାର୍ଯ୍ୟକାରୀହେଲେ ଉକ୍ତ ଆଦିବାସୀମାନେ ଜଙ୍ଗଲ ଜମି ପଟା ପାଇବାରୁ ବଞ୍ଚତ୍ତ ହେବେ। ପୁରୁଷ ପୁରୁଷ ଧରି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼ିବ। ତେଣୁ ସରକାର ଆଦିବାସୀଙ୍କ କଥାକୁ ବିଚାରକୁ ନେଇ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ନାୟକ ଦାବି କରିଥିଲେ। ଭୂମିହୀନକୁ ଭୂମି ପ୍ରଦାନ, ଗ୍ରାମାଞ୍ଚଳର ସମସ୍ତ ରାସ୍ତାକୁ ପକ୍କା, ପାଣି, ବିଜୁଳି, ରାଶନ କାର୍ଡ଼ ପ୍ରମୁଖ ସୁବିଧା ଯୋଗାଇ ଦେବାପାଇଁ ଆଦିବାସୀମାନେ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ଆଇନଜୀବୀ ଅଭିମନ୍ୟୁ ଗୌଡ଼, ଦଣ୍ଡପାଣି ସ୍ବାଇଁ, କୁବେର ଦଳବେହେରା, ଗଣନାଥ ମଳିକ, କୈଳାସ ମଳିକ, ପର୍ଶୁରାମ ଗୌଡ଼ ପ୍ରମୁଖ ଯୋଗଦେଇ ସରକାର ଆଦିବାସୀମାନଙ୍କୁ ତାଙ୍କ ହକ୍‌ରୁ ବଞ୍ଚତ୍ତ କଲେ ପରିସ୍ଥିତି ଭୟାବହ ହେବ ବୋଲି କହିଥିଲେ।