ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ

ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍‌ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୩ ହଜାର ୧ ଶହ ଟଙ୍କା, ୧୩ଟି ବାଇକ୍‌, ୫ଟି ମୋବାଇଲ ଫୋନ୍‌ ଓ ୬ ପ୍ୟାକେଟ ତାସ୍‌ ଜବତ୍‌ କରାଯାଇଛି । ପୋଲିସ ସବ୍‌ଇନ୍ସପେକ୍ଟର ଅବିନାଶ ନାୟକ ରବିବାର ପାଟ୍ରୋଲିଂ କରୁଥିବାବେଳେ ସହର ଉପକଣ୍ଠ ବିଜାଖମନ୍‌ ଫରେଷ୍ଟ ପାର୍କ ପାଖ ଜଙ୍ଗଲ ଭିତରେ ଜୁଆଆଡ୍ଡା ଚାଲିଥିତ୍ବା ଖବର ପାଇଥିଲେ । ଏହାପରେ କେତେକ ପୋଲିସ ସାଦା ପୋଷାକରେ ସେଠାକୁ ଯାଇ ଖବର ସଂଗ୍ରହ କରିଥିଲେ । ସେଠାରେ ପ୍ରାୟ ୧୫ ଜଣ ଜୁଆ ଖେଳୁଥିତ୍ବା ଜଣାପଡିବା ପରେ ପୋଲିସ ଟିମ୍‌ ଅତର୍କିତ ଚଢ଼ାଉ କରିଥିଲା । ପୋଲିସ ହାବୁଡରେ ୫ ଜଣ ଧରାପଡିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ୧୩ଟି ବାଇକ୍‌ ଜବତ୍‌ ହୋଇଥିତ୍ବାରୁ ସମସ୍ତ ଜୁଆରୀଙ୍କ ପରିଚୟ ବାହାର କରାଯାଇ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ୫ ଅଭିଯୁକ୍ତ ହେଲେ ପ୍ୟାଲେସଲାଇନ୍‌ର ସୁଜିତ୍‌ ଡୋଗ୍ରା, ରମାଇପଡାର ପ୍ରଦୀପ କୁମାର ମେହେର, ସାଲେପାଲିର ଈଶ୍ୱର ନନ୍ଦ, ତୁଳସୀନଗରର ପରମାନନ୍ଦ ପୁଟେଲ ଓ ଇନ୍ଦିରାନଗରର ଅଶୋକ ସେଠ । ଏନେଇ ବଲାଙ୍ଗୀର ଟାଉନ୍‌ ଥାନାରେ ଏକ ମାମଲା (ନଂ.୧୯୬/୨୦) ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କେତେଜଣ ପୂର୍ବରୁ ମଧ୍ୟ ଜୁଆଖେଳି ଗିରଫ ହୋଇଥିଲେ । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ୍‌ ଥାନା ଆଇଆଇସି ସଗ୍ରାମ କେଶରୀ ପଟ୍ଟନାୟକ କହିଛନ୍ତି ।

Share