ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳି ଫୁଟିବା ଘଟଣା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

ଭୁବନେଶ୍ୱର,୬।୩ (ବ୍ୟୁରୋ): ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡରେ ବୁଧବାର ରାଜଧାନୀର ଏକ ମ୍ୟାନେଜମେଣ୍ଟ କଲେଜର ଛାତ୍ର ଅସିମ୍‌ କାଲ୍‌ସ ଗୁରୁତର ହୋଇଥିଲେ। ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କ ପତ୍ତା ପାଇପାରି ନ ଥିବା ଜଣାପଡିଛି। ଜବତ ହୋଇଥିବା ସିସିଟିଭି ହାର୍ଡ ଡିସ୍କରେ ଘଟଣା ସମୟର ଅନେକ ଫୁଟେଜ ନ ଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୁରୁବାର ଲକ୍ଷ୍ନୋରେ ରହୁଥିବା ପରିବାରଲୋକେ ଭୁବନେଶ୍ୱରରେ ପହଞ୍ଚି ଅସିମଙ୍କୁ ଭେଟିଥିଲେ। ଅସିମଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଡାକ୍ତରଙ୍କଠାରୁ ଜାଣିବା ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସୂଚନାଥାଉ କି, ବୁଧବାର ଶେଷ ସେମିଷ୍ଟର ପରୀକ୍ଷା ସରିବା ପରେ ମଧ୍ୟାହ୍ନରେ ଅସିମ ସାଙ୍ଗମାନଙ୍କ ସହ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟ୍‌କୁ ଖାଇବା ପାଇଁ ଯାଇଥିଲେ। ଏହାପୂର୍ବରୁ ବିଲ୍‌କୁ ନେଇ ୩ଜଣ ଦୁର୍ବୃତ୍ତଙ୍କ ସହ ରେଷ୍ଟୁରାଣ୍ଟ୍‌ ମାଲିକ ଓ କର୍ମଚାରୀଙ୍କ ଝଗଡ଼ା ହୋଇଥିଲା। ଦୁର୍ବୃତ୍ତମାନେ ପାଟିତୁଣ୍ଡ କରିବା ପରେ ଧମକ ଦେଇ କାର୍‌ରେ ଚାଲିଯାଇଥିଲେ। କିଛି ସମୟ ପରେ ଏକ ବାଇକରେ ୩ ଜଣ ମୁଖାଧାରୀ ଯୁବକ ସେଠାରେ ପହଞ୍ଚତ୍ ମାଲିକଙ୍କ କ୍ୟାଶ୍‌ କାଉଣ୍ଟର ନିକଟରେ ଠିଆ ହୋଇ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ରେଷ୍ଟରାଣ୍ଟରେ ଖାଉଥିବା ଅସିମଙ୍କ ସମେତ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଏହି ସମୟରେ ଏକ ଗୁଳି ଅସିମଙ୍କ ପିଠିରେ ବାଜିଥିଲା। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ଚନ୍ଦକା ଥାନା ପୋଲିସ ପହଞ୍ଚତ୍ ଅସିମଙ୍କୁ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା। ଏ ନେଇ ବୁଧବାର ରାତିରେ ରେଷ୍ଟୁରାଣ୍ଟ ମାଲିକ ପ୍ରଶାନ୍ତ ରାଉତରାୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୪୧/୨୦)ରୁଜୁ କରି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କୁହନ୍ତି, ଗୁଳିକାଣ୍ଡ ଘଟଣା ପୂର୍ବରୁ ଝଡବର୍ଷାରେ ରେଷ୍ଟୁରାଣ୍ଟରେ ଲାଗିଥିବା ସିସି କ୍ୟାମେରା ତାର ଛିଡିଯାଇଥବାରୁ ଅବଶ୍ୟକ ଫୁଟେଜ ହସ୍ତଗତ ହୋଇପାରିନାହିଁ। ଏହାଦ୍ୱାରା ତଦନ୍ତରେ ବାଧା ସୃଷ୍ଟି କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଛି। ରେଷ୍ଟୁରାଣ୍ଟ ନିକଟରେ ଥିବା ଅନ୍ୟ ସିସି କ୍ୟାମେରାକୁ ଯାଞ୍ଚ କରାଯାଉଛି। ଖୁବ୍‌ ଶୀଘ୍ର ସମ୍ପୃୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

Share