ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ ବେପାର ହେଉଛି। ସର୍ବସାଧାରଣ ଯାତାୟାତ କରୁଥିବା ଜନଗହଳିପୂର୍ଣ୍ଣ ରାସ୍ତାପାର୍ଶ୍ୱରେ ବିଭତ୍ସ ଭାବେ ଉପରୋକ୍ତ ପ୍ରାଣୀଙ୍କୁ କଟାଯାଇ ଖୋଲାରେ ଏହାକୁ ଝୁଲାଇ ରଖିବାକୁ ଅନେକେ ନାପସନ୍ଦ କରିଛନ୍ତି। ପୌରାଞ୍ଚଳ ଅନ୍ତର୍ଗତ ଟାଉନ୍ହଲ୍ ନିକଟ, ଦୁର୍ଗା ମାର୍କେଟ୍, ବ୍ଲକ ଛକ, ରେତଙ୍ଗ କଲୋନୀ, ହାଟବଜାର, ହରିଭାଇନା ଛକ, କୁଦିଆରୀ ଆଦି ବିଭିନ୍ନ ସ୍ଥାନରେ ଖୋଲାରେ ବେପାର ହେଉଛି। କଟା ଯାଉଥିବା ପ୍ରାଣୀଙ୍କୁ ବିଭତ୍ସ ଭାବେ ଖୋଲାରେ ଟଙ୍ଗା ଯିବା ଦ୍ୱାରା ଏହାକୁ ଦେଖି ଲୋକଙ୍କ ମଧ୍ୟରେ ବିଶେଷକରି ସ୍କୁଲ ବିଦ୍ୟାର୍ଥୀ ଶିଶୁଙ୍କ ମନରେ ଏହାର ନକାରାତ୍ମକ ପ୍ରଭାବ ପକାଉଛି। ଏପରି କି ଏଠାରେ ମାଂସର ଗୁଣବତ୍ତା ପରୀକ୍ଷଣ କରାଯାଉନାହିଁ। ଏହା ହେଉ ନ ଥିବାରୁ ରୋଗଣା ପ୍ରାଣୀର ମାଂସକୁ ଅଜାଣତରେ ଗ୍ରାହକ ଖାଉଛନ୍ତି। ନିୟମ ଅନୁଯାୟୀ ମାନ ପରୀକ୍ଷଣ ଓ ଷ୍ଟାମ୍ପ ମରାଯାଉ ନ ଥିବାରୁ କେଉଁଠି କିପରି ମାଂସ ବିକ୍ରି ହେଉଛି ଖାଉଟି ଜାଣିପାରୁନାହାନ୍ତି। ଏ ନେଇ ଗୌରୀ ପ୍ରସାଦ ସିଂହ କୁହନ୍ତି, ସେ ଜଟଣୀ ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷ ଥିବା ବେଳେ ୧୯୮୮ରେ ସ୍ଥାନୀୟ ବାଛରା ପାହାଡ଼ ତଳେ କଂସେଇଖାନା କରାଯାଇଥିଲା। ଏଥିପାଇଁ ସେଠାରେ ମ୍ୟୁନିସିପାଲିଟି ପକ୍ଷରୁ ପାଣି, ଘର ଓ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା। ସେତେବେଳେ ପ୍ରାଣୀ ଚିକିତ୍ସକ ଦୈନିକ ଆସି ମାଂସ ପରୀକ୍ଷା କରି ଷ୍ଟାମ୍ପ ମାରିବା ପରେ ଏହା ବିକ୍ରୟ ଉପଲବ୍ଧ ହେଉଥିଲା। ତେବେ ମାଂସ ବେପାରୀଙ୍କ ଅସହଯୋଗ ଯୋଗୁ ଗୋଟିଏ ସପ୍ତାହ ଚାଲିବା ପରେ ଏହି କଂସେଇଖାନା ବନ୍ଦ ହୋଇଯାଇଥିଲା। ମନଇଚ୍ଛା ଯେ ଯେଉଁଠି ପାରିଲା ମାଂସ ଦୋକାନ ଖୋଲିବା ଦ୍ୱାରା ଗୋଟିଏ ପକ୍ଷରେ ଲୋକଙ୍କ ମନରେ ଖରାପ ପ୍ରଭାବ ପଡୁଛି। ଅନ୍ୟପକ୍ଷରେ ଏଥିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ବୋଲି ଗୌରୀ ପ୍ରସାଦ କହିଛନ୍ତି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କୁହନ୍ତି, କଂସେଇଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି। ଜମି ନିଆଯାଇ ଏହା ଖୋଲାଯିବ। ଗୁରୁତର ସହ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।