Categories: ଖେଳ

ଜଣଙ୍କ ସହ ୪ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ମସିହା ଡିସେମ୍ବର ୧୨ରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିବା ଯୁବରାଜ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଯଦିଓ ସେ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂ କ୍ରେଜ୍‌ ଆଜିବି ଅଭୁଲା ହୋଇ ରହିଛି। କ୍ରିକେଟରେ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଖାସ ଭାବେ ବଲିଉଡ ଅଭିନେତ୍ରୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା। ଜାଣନ୍ତୁ ତାଙ୍କ ପ୍ରେମିକାଙ୍କ ସମ୍ପର୍କରେ

କିମ ଶର୍ମା: ଫିଲ୍ମ ‘ମହବତେ’ ଅଭିନେତ୍ରୀ କିମ ଶର୍ମାଙ୍କ ନାମ ଯୁବରାଜଙ୍କ ସହ ଯୋଡ଼ି ହୋଇଥିଲା। ଏହି ଯୋଡିକୁ ନେଇ ଉକ୍ତ ସମୟରେ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଥିଲା। ପାଖାପାଖି ୪ ବର୍ଷ ଲିଭ-ଇନ୍‌ରେ ରହିବା ପରେ ୨୦୦୭ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। କୁହାଯାଏ, ଯୁବରାଜଙ୍କ ମା’ ଶବନମ କିମଙ୍କୁ ପସନ୍ଦ କରୁ ନ ଥିଲେ। ତେଣୁ ମା’ଙ୍କ କଥା ମାନି ଯୁବରାଜ କିମଙ୍କଠାରୁ ଦୂରେଇ ଯାଇଥିଲେ।

ଦୀପିକା ପାଦୁକୋନ: ୨୦୦୭ରେ ଯୁବରାଜଙ୍କ କ୍ୟାରିୟର ଭଲ ଚାଲିଥିଲା। ଟି-୨୦ ବିଶ୍ୱକପ ସମୟରେ ତାଙ୍କ ବ୍ୟାଟିଂ ଖୁବ ଚର୍ଚ୍ଚାରେ ଥିଲା। ଏହି ସମୟରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା। ଦୀପିକା ତାଙ୍କ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚି ଯାଉଥିଲେ। ମାତ୍ର ଏହି ଯୋଡି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା।

ପ୍ରୀତି ଜିଣ୍ଟା: ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ଯୁବରାଜ ପ୍ରୀତି ଜିଣ୍ଟାଙ୍କ ନିକଟତର ହୋଇଥିଲେ। ଏହାର କାରଣ ଥିଲା ଆଇପିଏଲ। ପ୍ରୀତି ‘କିଙ୍ଗ ଇଲେଭେନ ପଞ୍ଜାବ’ ଟିମର ସହମାଲିକାଣୀ ଥିବାବେଳେ ଯୁବରାଜ ଏହି ଟିମ ପକ୍ଷରୁ ଖେଳୁଥିଲେ। ମ୍ୟାଚ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା। ମାତ୍ର ସେମାନେ ଏହି ସମ୍ପର୍କକୁ ବନ୍ଧୁତ୍ୱର ନାମ ଦେଇଥିଲେ।

ରିୟା ସେନ: ରିୟା ସେନ୍‌ ସହ ଯୁବରାଜଙ୍କ ନାମ ଖୁବ ଚର୍ଚ୍ଚାରେ ଥିଲା। ଏହି ଯୋଡିଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳୁଥିଲା। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେ ହେଲେ ମୁହଁ ଖୋଲି ନାହାନ୍ତି। କିଛି ଦିନ ପରେ ଏହି ସମ୍ପର୍କରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଲା। ଖାଲି ସେତିକି ନୁହେଁ ଯୁବରାଜଙ୍କ ନାମ ଅହୁରି ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ ମଧ୍ୟ ଯୋଡ଼ି ହୋଇଛି। ସେମାନେ ହେଲେ ମିନିଷା ଲାମ୍ବା, ସୁପର ମଡେଲ ଆଞ୍ଚଲ କୁମାର।

Share