Categories: Uncategorized

ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର: ଶୁଭଶ୍ରୀ

ସମାଜରେ ଅବହେଳିତ ନାରୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋସିଆଲ ଡେଭ୍‌ଲପ୍‌ମେଣ୍ଟ (ଆଇଏସ୍‌ଡି) ନାମକ ଏକ ଅନୁଷ୍ଠାନ ଗଠନକରି ଏହା ମାଧ୍ୟମରେ ଅନେକ ମହିଳାଙ୍କ ପାଇଁ ସେ କାମ କରୁଛନ୍ତି। ଏହା ବ୍ୟତୀତ ଝିଅମାନେ କୌଣସି ଗୁଣରେ ପୁଅଙ୍କ ଠାରୁ କମ୍‌ ନୁହନ୍ତ ସେ ନେଇ ମଧ୍ୟ ସଚେତନ କରୁଛନ୍ତି। ୧୯୯୯ରେ ସଂଘଟିତ ମହାବାତ୍ୟା ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା। ମହାବାତ୍ୟାରେ ଅନେକ ଧନ ଜୀବନ କ୍ଷତି ହୋଇଥିଲା। ବିଶେଷକରି ପାରାଦୀପ କୂଳରେ ରହୁଥିବା ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇ ସେମାନଙ୍କ ଜୀବନ ହାରିଥିଲେ। ସେହି ଅଞ୍ଚଳକୁ ଶୁଭଶ୍ରୀ ଏକ ସର୍ଭେ କରିବାକୁ ଯାଇଥିଲେ। ସେଠାକାର ପରିବେଶ ଏବଂ ମହିଳାମାନଙ୍କ ସ୍ଥିତି ତାଙ୍କୁ ବିଚଳିତ କରିଥିଲା। ସେହିଠାରୁ ସେ ସମାଜରେ ଥିବା ଦୁସ୍ଥ, ଅସହାୟ ମହିଳାଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ। ଏଥିସହିତ ଲିଙ୍ଗଗତ ବୈଷମ୍ୟ ଉପରେ ସଚେତନତା ଏବଂ ମହିଳା ସଶକ୍ତୀକରଣକୁ ନେଇ ତାଙ୍କର କାର୍ଯ୍ୟଧାରା ଜାରି ରହିଛି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ କହିଛନ୍ତି, ପୁଅ ଝିଅଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବା କଥା ନୁହେଁ। କିଏ ବଡ଼ କିଏ ସାନ ସେ ନେଇ ଆମେ ଯୁଦ୍ଧ ଚାହୁଁନାହୁଁ। ପରସ୍ପରକୁ ସମ୍ମାନ ଦେଇ, ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର। ସ୍ବାମୀ ଓ ସ୍ତ୍ରୀ ଦୁହେଁ ପରସ୍ପରର ପରିପୂରକ। ସ୍ବାମୀ ଭଗବାନ ନୁହେଁ ବରଂ ଜୀବନସାଥୀ। କର୍ମକ୍ଷେତ୍ରରେ ଏବଂ ପରିବାରରେ ଏହି ସମାନତା ଓ ସମ୍ମାନ ରହିବା ଦରକାର। ଏହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ହିଂସା କମିପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।