Categories: ଅନୁଗୋଳ

ଜଣେ କର୍ମଚାରୀରେ ଚାଲିଛି ଉପକୋଷାଗାର

ଛେଣ୍ଡିପଦା,୨୪।୧୧(ସ୍ବ.ପ୍ର.) – ଜଣେ କର୍ମଚାରୀରେ ଚାଲିଛି ଛେଣ୍ଡିପଦା ଉପକୋଷାଗାର। ଦିନେ କି ମାସେ ନୁହେଁ, ବରଂ ବର୍ଷେ ହେଲା ଏପରି ଚାଲିଛି କାର୍ଯ୍ୟ। ଫଳରେ ଗ୍ରାମାଞ୍ଚଳରୁ ଆସୁଥିବା ବହୁ ବୃଦ୍ଧବୃଦ୍ଧା, ପେନ୍‌ସନ ଭୋଗୀ, ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ଏହି ଉପକୋଷାଗାର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଛେଣ୍ଡିପଦା ତହସିଲଦାର ଥିବାବେଳେ ଜନୈକ ବରିଷ୍ଠ କିରାଣି ହିଁ ଏକମାତ୍ର କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ବର୍ଷେ ତଳେ କନିଷ୍ଠ କିରାଣି ହରେକୃଷ୍ଣ ନାଏକଙ୍କ ପ୍ରମୋସନ ହୋଇଥିବା ବେଳେ ପିଅନ ବିଜୟ ସାହୁ ଓ ରାତ୍ର ଜଗୁଆଳି ସୁଧାକର ସାହୁ ଅବସର ଗ୍ରହଣ କରିସାରିଥିବାରୁ ଉକ୍ତ ପଦବୀ ଖାଲି ପଡ଼ିଛି। ଫଳରେ ଜଣେ ବରିଷ୍ଠ କିରାଣିରେ ଉପକୋଷାଗାରର ସମସ୍ତ କାର୍ଯ୍ୟ ଚାଲିଛି। ଜିଲା ମୁଖ୍ୟ କୋଷାଗାରକୁ ଚିଠିପତ୍ର ନେବା ଆଣିବା କରିବା ପାଇଁ ଉକ୍ତ କର୍ମଚାରୀ ଜଣକ ଅନୁଗୋଳ ଗଲେ ଅନେକ ସମୟରେ ଅଫିସ ବନ୍ଦ ରହିଥାଏ। ଏହି ଉପକୋଷାଗାରରୁ ୮୦ରୁ ଊଦ୍ଧର୍‌ବ ପେନସନଭୋଗୀ ଓ ୧ ହଜାରରୁ ଊଦ୍ଧର୍‌ବ କର୍ମଚାରୀଙ୍କୁ ବେତନ ପ୍ରଦାନ କରାଯାଉଥିବାବେଳେ ଶତାଧିକ ଛାତ୍ରୀଛାତ୍ର ଟ୍ରେଜେରି ଚାଲାଣ କରିଥାନ୍ତି। ଛେଣ୍ଡିପଦା ସଦର ମହକୁମାର ଏହି ଉପକୋଷାଗାରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଏଠାରେ ଖାଲିଥିବା ପଦବୀଗୁଡିକୁ ପୂରଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଚତୁଃପାଶର୍‌ବରେ ସୁରକ୍ଷା ପାଚେରି ନ ଥିବାବେଳେ ଦୀର୍ଘଦିନ ହେବ ରାତ୍ର ଜଗୁଆଳି ପଦବୀ ଖାଲି ପଡ଼ିଛି। ଫଳରେ କାର୍ଯ୍ୟାଳୟ ଅସୁରକ୍ଷିତ ହୋଇପଡ଼ିଛି। କାର୍ଯ୍ୟାଳୟରେ ଅଧିକାରୀ ପଦ ସହିତ କନିଷ୍ଠ କିରାଣି, ପିଅନ, ରାତ୍ରଜଗୁଆଳି ପଦ ପୂରଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।