ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା

କାନପୁର: ମନ୍ଦିର-ମସ୍‌ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍‌ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ଦେଶରେ କମ୍‌ ନାହିଁ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଭଗବତୀ ସିଂ ବିଶାରଦ। ତାଙ୍କୁ ବୟସ ବର୍ତ୍ତମାନ ୯୮ ବର୍ଷ। ଉତ୍ତରପ୍ରଦେଶ ଉନାଓର ଭଗବନ୍ତନଗର ବିଧାନସଭାମଣ୍ଡଳୀରୁ ସେ ୭ ଥର ବିଧାୟକ ରହିଛନ୍ତି। ତାଙ୍କ ବିଚାର ସମ୍ପୂର୍ଣ୍ଣ ଭିନ୍ନ। ଆଜି ବି ବିଶାରଦ ଯେଉଁଭଳି ଜୀବନ ବିତାଉଛନ୍ତି ତାହା ଏବକାର ରାଜନେତାଙ୍କ ପାଇଁ ଏକ ଶିକ୍ଷା। କାନପୁରର ଧନକୁଟ୍ଟି ମୋହଲାରେ ଏକ ଭଡ଼ା ଘରେ ସେ ରହୁଛନ୍ତି। ଏହି ଘରକୁ ଭଗବତୀଙ୍କ ପିତା ଲକ୍ଷ୍ମଣ ସିଂ ୧୯୩୯ରେ ଭଡ଼ାରେ ନେଇଥିତ୍ଲେ। ସେହି ଘରେ ତାଙ୍କର ୫ ପୁଅ ଓ ଜଣେ ଝିଅଙ୍କୁ ନେଇ ସାରା ଜୀବନ ରହିଆସିଛନ୍ତି। ଏବେ ତାଙ୍କ ପାଖରେ ସେହି ଭଡାଘରେ ଭଗବତୀଙ୍କ ସହ ବଡ ପୁଅ ରଘୁବର ଓ ତାଙ୍କ ସ୍ତ୍ରୀ,ନାତି, ନାତୁଣୀ ବୋହୂ, ଅଣନାତି, ତୃତୀୟ ନମ୍ବର ପୁଅ ଓ ବୋହୂ ରହୁଛନ୍ତି। ଭଗବତୀ ଯେତେବେଳେ ବିଧାୟକ ରହିଥିଲେ ସେତେବେଳେ ଚାଲି ଚାଲି କିମ୍ବା ସାଇକେଲରେ ବୁଲି ଜନସେବା କରୁଥିଲେ। ସେତେବେଳେ ଗୋଟିଏ ବ୍ୟାଗ୍‌ରେ ଲେଟର୍‌ପ୍ୟାଡ ଓ ଷ୍ଟାମ୍ପ ବି ରଖୁଥିଲେ। କେହି ତାଙ୍କୁ କୌଣସି ସମସ୍ୟା ସମ୍ପର୍କରେ ଜଣାଇଲେ ସେ ସାଙ୍ଗେ ସାଙ୍ଗେ ଏହା ଉପରେ ପଦକ୍ଷେପ ନେବାକୁ ପ୍ୟାଡ୍‌ରେ ଲେଖି ଷ୍ଟାମ୍ପ୍‌ ଲଗାଇ ସମ୍ପୃକ୍ତ ବିଭାଗକୁ ପଠାଇ ଦେଉଥିଲେ ବୋଲି କୁହନ୍ତି ତାଙ୍କ ନାତି ଅନୁରାଗ। ଭଗବତୀଙ୍କ ପୂଜା ପଦ୍ଧତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପୂରା ମନ୍ଦିର ଝୁଲାରେ ଥାଏ। ଗାଧୋଇ ସାରିବା ପରେ ଝୁଲାରେ ରଖିଥିତ୍ବା ଭଗବାନଙ୍କୁ ବାହାରକରି ଚେୟାର ଉପରେ ରଖନ୍ତି ଓ ପୂଜା କରନ୍ତି। ଏହା ପରେ ପୁଣି ଭଗବାନ୍‌ଙ୍କୁ ଝୁଲାରେ ରଖିଦିଅନ୍ତି। ଭଗବାନ ମନ୍ଦିରରେ ନାହାନ୍ତି ହୃଦୟରେ ରହିଛନ୍ତି ବୋଲି କୁହନ୍ତି ଭଗବତୀ। ୨୩ ସେପ୍ଟେମ୍ବର ୧୯୨୧ରେ ଉନାଓର ଝାଗରପୁର ଗାଁରେ ଜନ୍ମିତ ଭଗବତୀ ସ୍ବାଧୀନତା ଆନ୍ଦୋଳନରେ ବି ଭାଗ ନେଇଛନ୍ତି। ୧୯୫୭ରେ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ଭଗବନ୍ତନଗର ବିଧାନସଭା ଆସନରୁ ନିର୍ବାଚନ ଲଢି ପ୍ରଥମେ ବିଜୟୀ ହୋଇଥିଲେ। ଏହି ପାର୍ଟିର ବିଲୟ ଘଟିବା ପରେ ସେ କଂଗ୍ରେସରେ ଯୋଗ ଦେଇ କେତେବେଳେ ଜିତିଛନ୍ତି ତ କେତେବେଳେ ହାରିଛନ୍ତି , କିନ୍ତୁ ମୋଟ୍‌ରେ ୭ ଥର ବିଧାୟକ ହୋଇପାରିଛନ୍ତି।

Share