୧୫ବର୍ଷୀୟ ବାଳକଙ୍କ କରୋନାରେ ମୃତ୍ୟୁ: ରାଜସ୍ଥାନରେ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି

ଜୟପୁର,୨।୫: ରାଜସ୍ଥାନରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶନିବାର ରାଜ୍ୟରେ କରୋନା ଯୋଗୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୧୫ବର୍ଷୀୟ ବାଳକ ଥିବା ଜଣାପଡ଼ିଛି। ତେବେ ମୃତକଙ୍କ ମଧ୍ୟରେ ଜୟପୁରର ୫୫ବର୍ଷୀୟ ବୃଦ୍ଧ ଓ ୧୫ବର୍ଷୀୟ ନାବାଳକ ଓ ଯୋଧପୁରର ୬୭ବର୍ଷୀୟ ବୃଦ୍ଧ ରହିଥିବା ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ(ସ୍ବାସ୍ଥ୍ୟ) ରୋହିତ ସିଂହ ସୂଚନା ଦେଇଛନ୍ତି। ସୁଚନାଯୋଗ୍ୟ, ଶୁକ୍ରବାର ଜୟପୁର ଚାନ୍ଦପୋଲର ୧୫ବର୍ଷୀୟ ବାଳକଙ୍କୁ ଜେକେ ଲୋନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ହୋଇଛି। ଅପରପକ୍ଷେ ଆହୁରି ୧୨ଟି ନୂଆ ଆକ୍ରାନ୍ତ ଚିହ୍ନଟ ହେବାରୁ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୬୭୮ରେ ପହଞ୍ଚିଛି।

Share