Categories: ଜାତୀୟ

‘ଜନତା କର୍ଫ୍ୟୁ’: ବାତିଲ ହେଲା ୩ହଜାର ୭ଶହ ଟ୍ରେନ୍‌

ନୂଆଦିଲ୍ଲୀ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏହାକୁ ନେଇ ଏବେ ସାରା ବିଶ୍ୱ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି କହିଲେ ଚଳେ। ଭାରତରେ କରୋନାର ପ୍ରଭାବକୁ ଦେଖି ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ଅର୍ଥାତ୍‌ ରବିବାରକୁ ‘ଜନତା କର୍ଫ୍ୟୁ’ ଘୋଷଣା କରିଛନ୍ତି। ଏହି ସମୟରେ ଲୋକେ ନିଜ ଇଚ୍ଛାରେ ଘରେ ରହିବାକୁ ଅନୁରୋଧ କରାଯାଇଛି। ଜରୁରୀ ନ ଥିଲେ କେହି ଘରୁ ବାହାରକୁ ଆସନ୍ତୁ ନାହିଁ ବୋଲି କୁହାଯାଇଛି। ଏହାକୁ ଦେଖି ରେଲଓ୍ବେ ପକ୍ଷରୁ ପ୍ରାୟ ୩ ହଜାର ୭ ଶହ ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଥିବା ଜଣାପଡିଛି। ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନକୁ ବାତିଲ କରାଯାଇଛି। ସେପଟେ ପୂର୍ବରୁ ଛାଡି ସାରିଥିବା ଟ୍ରେନକୁ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଇଛି।

Share