Categories: ବାଣିଜ୍ୟ

ଜନଧନ ଜମା ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧୧-୭: ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକରେ ଜମା ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ଯୋଜନା ୫ ବର୍ଷ ତଳେ ଆରମ୍ଭ କରାଯାଇଥିଲା। ଅର୍ଥମନ୍ତ୍ରଣାଳୟ ତଥ୍ୟ ମୁତାବକ ଏହି ଜମା ୩୬.୦୬ କୋଟି ଆକାଉଣ୍ଟରେ ରହିଛି। ଉକ୍ତ ଯୋଜନାକୁ ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା। ଲୋକମାନଙ୍କୁ ସାର୍ବଜନୀନ ବ୍ୟାଙ୍କ ସେବା ଯୋଗାଣ ନେଇ ଏହାର ଶୁଭାରମ୍ଭ ହୋଇଥିଲା। ଲୋକମାନଙ୍କ ଲାଗି ବେସିସ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ (ବିଏସ୍‌ବିଡି) ଦ୍ୱାରା ଓଭରଡ୍ରାଫ୍ଟ ସୁବିଧା ଏବଂ ରୁପେ ଡେବିଟ କାର୍ଡ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ଜନଧନରେ ଜିରୋ ଆକାଉଣ୍ଟ ସଂଖ୍ୟା ୨୦୧୮ ମାର୍ଚ୍ଚରେ ୫.୧୦ କୋଟି ରହିଥିବା ବେଳେ ଏହା ମାର୍ଚ୍ଚ ୨୦୧୯ରେ ୫.୦୭ କୋଟିକୁ ହ୍ରାସ ଘଟିଛି। ୨୮.୪୪ କୋଟି ଆକାଉଣ୍ଟଧାରୀଙ୍କୁ ରୂପେ ଡେବିଟ କାର୍ଡ ପ୍ରଦାନ କରାଯାଇଛି। ବିଏସ୍‌ବିଡି ଖାତାଗୁଡିକରେ କୌଣସି ସର୍ବନିମ୍ନ ବାଲାନ୍ସ ରଖିବା ଆବଶ୍ୟକତା ନ ଥିବା ସରକାର କହିଛନ୍ତି। ଉକ୍ତ ଆକାଉଣ୍ଟଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ନୂଆ ଖାତା ଖୋଲିବା ଉପରେ ସରକାର ଦୁର୍ଘଟଣା ବୀମାକୁ ୨ ଲକ୍ଷ ଟଙ୍କାକୁ ବଢାଇଛନ୍ତି। ଏହାର ଓଭରଡ୍ରାଫ୍ଟ ସୀମାକୁ ଦୁଇଗୁଣ କରାଯାଇ ୧୦ ହଜାର କରାଯାଇଛି। ଜନଧନର ୫୦% ଆକାଉଣ୍ଟଧାରୀ ମହିଳା। ଏହି ଖାତା ଦ୍ୱାରା ଲୋକମାନେ ଆବଶ୍ୟକତା ଭିତ୍ତିରେ ଋଣ, ବୀମା, ପେନଶନ ଏବଂ ରେମିଟାନ୍ସ ସୁବିଧା ପାଇପାରିବେ।

Share