ଜନଧନ ଟଙ୍କା ପାଇଁ ଖଟିଆରେ ଟଣା ହେଲେ ଶତାୟୁ ମହିଳା

ନୂଆପଡ଼ା ଅଫିସ,୧୩ା୬-ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣା ଏଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ା ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ା ଗାଁ ମୁଣ୍ଡରେ ରହିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ା ସେଠାରୁ ମାତ୍ର ୩ଶହ ମିଟର ଦୂରରେ ୧ଶହ ବର୍ଷ ବୟସ୍କ ଲଭେ ହରିଜନଙ୍କ ଘର ା କରୋନା ସହାୟତା ପରିପ୍ରେକ୍ଷୀରେ ତାଙ୍କ ଜନଧନ ଆକାଉଣ୍ଟକୁ ୧୫ଶହ ଟଙ୍କା ଆସିଥିଲା ା ଏ କଥା ତାଙ୍କ ଝିଅ କୁଇନମତି ଜାଣିବା ପରେ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ ା ଏଥିପାଇଁ ସେ ବ୍ୟାଙ୍କ୍‌ର ନିୟମ ଅନୁସାରେ ଆବଶ୍ୟକ ଫର୍ମରେ ମା’ଙ୍କ ଟିପଚିହ୍ନ ଆଣିଥିଲେ ା ନିଜେ ସ୍ବାକ୍ଷର କରି ଟଙ୍କା ଉଠାଇବାକୁ ଚାହିଁ ଥିଲେ ା ହେଲେ ବ୍ୟାଙ୍କ ଅଧିକାରୀମାନେ କିଛି କଥା ଶୁଣି ନ ଥିଲେ ା ଆକାଉଣ୍ଟଧାରୀ ନ ଆସିଲେ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ା ହେଲେ କୁଇନମତି ମା’ଙ୍କ ବୟସ କହିବା ସହ ସେ ଖଟରୁ ଉଠିବାର ଅବସ୍ଥାରେ ନାହାନ୍ତି ବୋଲି କହିଥିଲେ ା ବହୁ କାକୁତିମିନତି ପରେ ୯ତାରିଖରେ ବ୍ୟାଙ୍କ କର୍ମଚାରୀ ତୁମ ଘରକୁ ଯିବେ ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ ା ୯ ତାରିଖ ସକାଳୁ ବ୍ୟାଙ୍କ କର୍ମଚାରୀଙ୍କୁ ଲଭେ ଓ କୁଇନମତି ଜଗି ରହିଥିଲେ ା ହେଲେ କେହି ଆସି ନ ଥିଲେ ା ଶେଷରେ ମା’ ଶୋଇଥିବା ଖଟିଆକୁ ବହୁ କଷ୍ଟରରେ ଘରୁ ବାହାର କରିଥିଲେ କୁଇନମତି ା ରାସ୍ତାରେ ୩ ଶହ ମିଟର ଦୂର ବ୍ୟାଙ୍କ ସମ୍ମୁଖକୁ ଟାଣି ଟାଣି ନେଇଥିଲେ। ଏପରି ପରିସ୍ଥିତିକୁ ସାମ୍‌ନା କରିବେ ବୋଲି କେବେ ଆଶା କରି ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କୁଇନମତିଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରିଥିଲେ ା ଏ ସଂକ୍ରାନ୍ତରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅଜିତ କୁମାର ପ୍ରଧାନଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ଘଟଣାକୁ ସେ ସ୍ବୀକାର କରିଛନ୍ତି, କୁଇନମତିଙ୍କୁ ଆମେ ସମୟ ଦେଇଥିଲୁ ହେଲେ ବ୍ୟସ୍ତତା ଯୋଗୁ ତାଙ୍କ ଘରକୁ ଯାଇ ପାରି ନ ଥିଲୁ ବୋଲି କହିଛନ୍ତି ା

Share