ଜନବସତିରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌କୁ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ୨୯ ନମ୍ବର ୱାର୍ଡ଼ର ଶ୍ରୀକଣ୍ଠପୁର କ୍ୟାଥୋଲିକ୍‌ ପଡ଼ାରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌ ଖୋଲାଯିବାକୁ ମ୍ୟୁନିସିପାଲିଟି ପକ୍ଷରୁ ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।
୨୯ ନମ୍ବର ୱାର୍ଡ଼ ସହରର ମଧ୍ୟମସ୍ଥଳୀରେ ଅବସ୍ଥିତ। ଘରୋଇ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନୱାଡ଼ି ଶିକ୍ଷାକେନ୍ଦ୍ର, ଦେବାଳୟ ସମେତ ୨ଶହରୁ ଊର୍ଦ୍ଧ୍ୱ ଛୋଟବଡ଼ କୋଠାଘରେ ସହସ୍ରାଧିକ ଲୋକ ବସବାସ କରୁଛନ୍ତି। ୨ହଜାରରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ନିକଟସ୍ଥ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏଭଳି ସ୍ଥାନରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌ ନିର୍ମାଣ କରାଗଲେ ଏଥିରୁ ନିର୍ଗତ ହେବାକୁ ଥିବା ଧୂଆଁରେ ସ୍ଥାନୀୟ ଲୋକେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ରୋଗାଗ୍ରସ୍ତ ହେବାର ବହୁ ଆଶଙ୍କା ଥିବାରୁ ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଅବଗତ କରାଇଥିଲେ। ଜିଲାପ୍ରଶାସନ କୌଣସି ଅଭିଯୋଗକୁ କର୍ଣ୍ଣପାତ କରୁ ନ ଥିବାରୁ ସ୍ଥାନୀୟ ଲୋକେ ଆନ୍ଦୋଳନ ଡାକରା ଦେଇଛନ୍ତି ବୋଲି ନିରଞ୍ଜନ ମହାପାତ୍ର, ଇଭାରାଣୀ ଜିମ୍ମା, ନିହାରିକା ବିଶ୍ୱାସ, ଅଭିଶେଖ ଭକ୍ତଙ୍କ ସମେତ ଶତାଧିକ ଗ୍ରାମବାସୀ ପ୍ରକାଶ କରିଛନ୍ତି। ନିର୍ମାଣ ହେବାକୁ ଥିବା ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌ ସ୍ଥାନରେ ଶତାଧିକ ଲୋକ ଏକାଠି ହୋଇ ଜିଲା ପ୍ରଶାସନ ବିରୋଧରେ ବିଭିନ୍ନ ନାରା ଦେଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।