ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’

ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍‌ରେ ଏହାର ବିପରୀତ ଦୃଶ୍ୟ ସାମ୍ନାକୁ ଆସିଛି। ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଏହି ଦେଶ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ପଡ଼ିଛି। ଏଥିରୁ ମୁକୁଳିବାକୁ ସେଠାକାର ସରକାର ଆରମ୍ଭ କରିଛନ୍ତି ‘ବେବି ବୋନସ’ ଯୋଜନା। ଏଥିଲାଗି ଗ୍ରୀସ୍‌ ସରକାର ୧୪୦୦ କୋଟି ଟଙ୍କାର ବଜେଟ କରିଛନ୍ତି। ଜଣେ ପ୍ରସୂତିଙ୍କୁ ଥରେ ପ୍ରସବ ପାଇଁ ୧.୫୮ ଲକ୍ଷ ଟଙ୍କା ବୋନସ ଦିଆଯାଉଛି। ମାରିଆ ପରଦଲାକିସ୍‌ ପ୍ରଥମ ହିତାଧିକାରୀ ଭାବେ ଏହାର ଲାଭ ଉଠାଇଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଗ୍ରୀସ୍‌ର ମୋଟ ଜନସଂଖ୍ୟା ୧.୦୭ କୋଟି। ଯଦି ଆଗାମୀ ଦିନରେ ଜନ୍ମ ହାର ଆଶାନୁରୂପକ ଭାବେ ନ ବଢ଼େ ତେବେ ୩୦ବର୍ଷରେ ଜନସଂଖ୍ୟା ଏକତୃତୀୟାଂଶ କମିଯିବ। ଏବେକାର ଜନସଂଖ୍ୟା ହାରକୁ ଅନୁଧ୍ୟାନ କଲେ ୨୦୫୦ ବେଳକୁ ଗ୍ରୀସ୍‌ର ୩୬% ନାଗରିକଙ୍କ ବୟସ ୬୫ ପାର୍‌ କରିସାରିଥିବ, ଯାହା ୧୯୭୦ରେ ମାତ୍ର ୭% ଥିଲା। ବିଶେଷ କରି ଗତ ଦଶନ୍ଧିରେ ଏହି ସମସ୍ୟା ଚରମ ସୀମାରେ ପହଞ୍ଚତ୍ଛି। ଏହାର ପ୍ରମୁଖ କାରଣ ଦେଶାନ୍ତରୀ। ୨୦୧୦-୧୫ରେ ଗ୍ରୀସ୍‌ରେ ୨୮% ବେରୋଜଗାରି ବଢ଼ିଛି। ପେଟପାଟଣା ଚିନ୍ତାରେ ପାଖାପାଖି ୫ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ୟୁରୋପୀୟ ରାଷ୍ଟ୍ର ସମେତ ଆମେରିକା, କାନାଡ଼ା, ଅଷ୍ଟ୍ରଲିଆରେ ବସତି ସ୍ଥାପନ କରିସାରିଲେଣି। କେବଳ ଗ୍ରୀସ୍‌ ନୁହେଁ; ସ୍ପେନ, ଇଟାଲୀ, ଫିନ୍‌ଲ୍ୟାଣ୍ଡ, ସାଇପ୍ରସ୍‌ ଭଳି କ୍ଷୁଦ୍ର ଦେଶ ମଧ୍ୟ ଜନସଂଖ୍ୟା ହ୍ରାସ ପାଇଁ ଚିନ୍ତାର ପଡ଼ିଛନ୍ତି।
ଗ୍ରୀସ୍‌ର ଅସ୍ତିତ୍ୱ ବଞ୍ଚାଇବାକୁ ଏପରି ଯୋଜନା କରାଯାଇଛି। ଆର୍ଥିକ ଅଭିବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ଜନସଂଖ୍ୟା ବଢ଼ାଇବା ପାଇଁ ଯୁବପିଢ଼ିଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଯଦି ଏପରି ଯୋଜନା ଫଳପ୍ରଦ ନ ହୁଏ, ତେବେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼ିବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପୂର୍ବତନ ଏକାଡେମିକ୍‌ ଡୋମନ ମାଇକେଲ୍‌ ହାଇଡୋ କହିଛନ୍ତି।

Share