ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ: ବଜାରରେ ଭିଡ଼ କଲେ ସଟ୍ ଡାଉନ୍‌ଠାରୁ ନିଆଯିବ ବଡ଼ ପଦକ୍ଷେପ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଜନସାଧାରଣଙ୍କୁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍ ହଟିବା ପରେ ଅଯଥାରେ ହାଟ ବଜାରରେ ଲୋକମାନେ ଭିଡ଼ ଲଗାନ୍ତୁ ନାହିଁ। ଭିଡ଼ କରିଲେ ସଟ୍ ଡାଉନ୍‌ଠାରୁ ବି କଡ଼ା ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବ ପରି ସମସ୍ତ ଗ୍ରୋସରି ଦେକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। ତେଣୁ ଅଯଥା ଭିଡ଼ ନ କରି ଘରେ ରୁହନ୍ତୁ l କୋଭିଡ୍‌-୧୯ର ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ସହଯୋଗ କରନ୍ତୁ। ଯଦି ଅଯଥାରେ ଲୋକମାନେ ହାଟ ବଜାରରେ ଭିଡ଼ ଲଗାଇବେ, ତେବେ ସଟ୍ ଡାଉନ୍‌ଠାରୁ ବି ବଡ଼ ପଦକ୍ଷେପ ଗ୍ରହଣ କରାଯିବ। ନିଜ ପରିବାର ଓ ଆତ୍ମୀୟଙ୍କ ପାଇଁ ଘରେ ରୁହନ୍ତୁ, ନା କି ସଟ୍ ଡାଉନ୍ ସରିବା ମାତ୍ରେ ବାହାରେ ବୁଲନ୍ତୁ। ସଟ୍ ଡାଉନ୍ ଆଜି ରାତି ୮ଟାରେ ସରୁଛି ସତ କିନ୍ତୁ ଲକ୍ ଡାଉନ୍ ଆସନ୍ତା ୧୪ ତାରିଖ ଯାଏ ଚାଲିବ। ପୂର୍ବ ନିୟମ ଅନୁସାରେ ହିଁ ଏହା କାର୍ଯ୍ୟକାରୀ ହେବ। ସଟ୍ ଡାଉନ୍ ସମୟରେ ଭୁବନେଶ୍ୱର, କଟକ ବାହାରେ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିବା ପାଇଁ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି। ଚିହ୍ନଟ ହୋଇଥିବା ସ୍ଥାନରୁ ସଂକ୍ରମଣ କିପରି ବାହାରକୁ ନ ଆସିବ ସେନେଇ ବ୍ୟବସ୍ଥା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିବା ଓ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ସେମାନଙ୍କୁ କୁହାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Share