ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ: ନିଶିକାନ୍ତ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଅରବିନ୍ଦ କେଜ୍‌ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ତୃତୀୟଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଫଳତା ପାଇଛି। ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା, ଗୋଆ ଭଳି ରାଜ୍ୟରେ ଦଳର ସଙ୍ଗଠନ ରହିଛି। ଓଡ଼ିଶାରେ ମଧ୍ୟ ଦଳ କାର୍ଯ୍ୟ କରୁଛି। ନିର୍ବାଚନୀ ରାଜନୀତିରେ ଦଳ ସଫଳତା ପାଇ ନାହିଁ। ହେଲେ ରାଉରକେଲା, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା, ଭୁବନେଶ୍ୱରରେ ଦଳ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ଆନ୍ଦୋଳନ ଜାରି ରଖିଛି। ଦିଲ୍ଲୀ ବିଜୟରେ ଓଡ଼ିଶାର ଏଏପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ମଙ୍ଗଳବାର ଫଳାଫଳ ପ୍ରକାଶ ପରେ ରାଜଧାନୀରେ ଥିବା ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। ଏଏପି କର୍ମୀମାନେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇଥିଲେ। ରାଜ୍ୟରେ ଏଏପିର ଆବାହକ ଥିବା ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ, ଜନସାଧାରଣ ଲୋକ ପ୍ରତିନିଧିଙ୍କୁ ସେମାନଙ୍କ ସେବା ପାଇଁ ଭୋଟ ଦିଅନ୍ତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ମିଳିଥିବା ବହୁମତ ଦିଲ୍ଲୀବାସୀଙ୍କ ଉନ୍ନତି ପାଇଁ ଲଗାଗଲା। ଧର୍ମ,ଜାତିଗତ ବିଦ୍ୱେଷରେ ସେମାନଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରାଗଲା ନାହିଁ। ମୌଳିକ ଆବଶ୍ୟକତା(ବିଜୁଳି,ପାଣି, ସ୍ବାସ୍ଥ୍ୟ,ଶିକ୍ଷା)କୁ ଗୁରୁତ୍ୱ ଦିଆଗଲା। ତେଣୁ ଦିଲ୍ଲୀର ବିକାଶ ମଡେଲକୁ ପୁନର୍ବାର ଶାସନର ସୁଯୋଗ ମିଳିଥିବା ନିଶିକାନ୍ତ କହିଛନ୍ତି। ଦେଶରେ ଦେଖାଯାଇଥିବା ଅରାଜକତା ଏବଂ ଭାଜପାର ଅହଂକାର ବିରୋଧରେ ସାଧାରଣଜନତାଙ୍କ ସମର୍ଥନରେ ଲଢି ହୁଏ, ତାହା ପ୍ରମାଣିତ ହୋଇଯାଇଛି। ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ ବୋଲି ଏଏପି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ନିର୍ବାଚନରେ ରାଜ୍ୟରୁ ବହୁତ ଏଏପି କାର୍ଯ୍ୟକର୍ତ୍ତା ପ୍ରଚାରରେ ନିୟୋଜିତ ହୋଇଥିଲେ। ଦିଲ୍ଲୀରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଏଏପି ସପକ୍ଷରେ ମନାଇବା ପାଇଁ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଜଣାପଡିଛି। ଏହି ବିଜୟ ଆଗାମୀ ଦିନରେ ଓଡ଼ିଶାରେ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବ ବୋଲି ନିଶିକାନ୍ତ କହିଛନ୍ତି।

Share